ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୋଷ୍ଟ ହଟାଯିବା ନେଇ ମେଟା ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି। ମେଟାର ଚିଫ୍ ଗ୍ଲୋବାଲ୍ ଆଫେୟାର୍ସ ଅଫିସର ଜୋଏଲ୍ କପଲାନ୍ ଏହି ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୋଷ୍ଟକୁ ହଟାଇବାକୁ ନେଇ ମେଟା ପକ୍ଷରୁ କ୍ଷମା ମଗାଯାଇଛି। ମେଟାର ଚିଫ୍ ଗ୍ଲୋବାଲ୍ ଆଫେୟାର୍ସ ଅଫିସର ଜୋଏଲ୍ କପଲାନ୍ ଏହି ସୂଚନା ଦେଇଛନ୍ତି। କପଲାନ୍ କହିଛନ୍ତି ଯେ ସେ ନିଜ ଟିମ୍ ସହିତ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଏହି ସମ୍ପୂର୍ଣ୍ଣ ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଆଶ୍ୱାସନା ଦେଇଛନ୍ତି ଯେ କମ୍ପାନୀ ଏଭଳି ଭୁଲ୍ଗୁଡ଼ିକୁ ସୁଧାରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛି।
ଏହା ପୂର୍ବରୁ ମେଟାର ଚିଫ୍ ଗ୍ଲୋବାଲ୍ ଆଫେୟାର୍ସ ଅଫିସର ଜୋଏଲ୍ କପଲାନ୍ ଦିଲ୍ଲୀରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ସଚିବ ଏସ୍. କୃଷ୍ଣନ୍ଙ୍କୁ ଭେଟିଥିଲେ। ଏହି ବୈଠକ ପ୍ରାୟ ୪୫ ମିନିଟ୍ ଧରି ଚାଲିଥିଲା, ଯେଉଁଥିରେ ମେଟା ଅଧିକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭିଡିଓ ଭୁଲବଶତଃ ହଟିଯିବାର କାରଣ ବାବଦରେ ବୁଝାଇଥିଲେ। ଏହା ପରେ ମେଟା ଅଧିକାରୀମାନେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଭେଟି କ୍ଷମା ମାଗିଥିଲେ।
ମେଟା CEO ଜୁକରବର୍ଗଙ୍କୁ ଦିଆଯାଇଥିଲା ୩ ଦିନର ସମୟ
ସଂସଦୀୟ ସ୍ଥାୟୀ କମିଟି ସେହି ଘଟଣାକୁ ଗାମ୍ଭୀର୍ଯ୍ୟର ସହ ନେଇଛନ୍ତି, ଯେଉଁଥିରେ PM ମୋଦୀଙ୍କ ଭିଡିଓ ଫେସବୁକ୍ରୁ ହଟାଇ ଦିଆଯାଇଥିଲା। କମିଟି ମେଟା CEO ମାର୍କ ଜୁକରବର୍ଗଙ୍କୁ ତିନି ଦିନ ମଧ୍ୟରେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିବାକୁ କହିଥିଲେ। MeitY ସଚିବଙ୍କୁ ଲେଖାଯାଇଥିବା ଏକ ପତ୍ରରେ କମିଟି କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଥିବା ଭିଡିଓକୁ ହଟାଇବା ଏକ ଗୁରୁତର ଚିନ୍ତାର ବିଷୟ ଏବଂ ଏଥିପାଇଁ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯିବା ଉଚିତ୍। ଯାହା ପରେ ବୁଧବାର ଦିନ ମାର୍କ ଜୁକରବର୍ଗ ଏହି ସମ୍ପୂର୍ଣ୍ଣ ଘଟଣାରେ କ୍ଷୋଭ ପ୍ରକାଶ କରିବା ସହ କ୍ଷମା ମାଗିଛନ୍ତି।
ଜାଣନ୍ତୁ କ’ଣ ଥିଲା ପୂରା ମାମଲା
ବାସ୍ତବରେ, ପୋଷ୍ଟ କରାଯାଇଥିବା ଭିଡିଓଟି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସେହି ସମ୍ବୋଧନ ସହ ଜଡ଼ିତ ଥିଲା, ଯେଉଁଥିରେ ସେ ଛାତ୍ରଛାତ୍ରୀ ଏବଂ ଜେନେରେସନ୍ ଜେଡ୍ (Gen-Z) ଙ୍କ ସହ ପରୀକ୍ଷା ସମ୍ବନ୍ଧୀୟ ବିବାଦ ଏବଂ ପେପର ଲିକ୍ ବିରୋଧରେ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଲୋଚନା କରିଥିଲେ। ଖବର ଅନୁଯାୟୀ, ଏହି ଭିଡିଓଟି ଫେସବୁକ୍ରେ ପ୍ରାୟ ୫ ରୁ ୬ ଘଣ୍ଟା ଧରି ଉପଲବ୍ଧ ନଥିଲା। ଯାହା ପରେ ଲୋକସଭା ସଚିବାଳୟର ନିର୍ଦ୍ଦେଶିକା ଏ. ଜ୍ୟୋତିର୍ମୟୀ କେ. ମେଟାକୁ ପତ୍ର ଲେଖି କ୍ଷମା ମାଗିବାକୁ କହିଥିଲେ।