ସୁପ୍ରିମ୍ କୋର୍ଟ ଡିଜିଟାଲ୍ ଆରେଷ୍ଟ ସ୍କାମ୍ ମାମଲାଗୁଡ଼ିକୁ ନେଇ ସାରା ଦେଶ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)କୁ ୪ ସପ୍ତାହ ମଧ୍ୟରେ 'ମ୍ୟୁଲ୍ ଆକାଉଣ୍ଟ' (Mule Accounts) ଉପରେ ଏକ SOP ପ୍ରସ୍ତୁତ କରିବାକୁ କୁହାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୬ରେ ହେବ।
ସୁପ୍ରିମ୍ କୋର୍ଟ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଡିଜିଟାଲ୍ ଆରେଷ୍ଟ ଏବଂ ସାଇବର ଠକେଇ ମାମଲା ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହାକୁ ରୋକିବା ପାଇଁ କୋର୍ଟ ସାରା ଦେଶରେ ନିର୍ଦ୍ଦେଶ ଜାରି କରିବା ସହ ସାଇବର ଠକେଇ ରୋକିବା ପାଇଁ ପ୍ରସ୍ତୁତ ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କହିଛନ୍ତି।
ସୁପ୍ରିମ୍ କୋର୍ଟ ରାଜ୍ୟଗୁଡ଼ିକୁ ସାଇବର ଠକେଇର ଅଭିଯୋଗ ଏବଂ ଟଙ୍କା ଫେରସ୍ତ ବ୍ୟବସ୍ଥାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ‘ଇ-ଜିରୋ FIR’ (E-Zero FIR) ସିଷ୍ଟମ ଆପଣାଇବା ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ କହିଛନ୍ତି। କୋର୍ଟ କେନ୍ଦ୍ର ସରକାରଙ୍କୁ ‘ଭାଗିଦାରୀ ଜବାବଦିହିତା’ (Shared Accountability) ଏବଂ ପୀଡ଼ିତଙ୍କୁ କ୍ଷତିପୂରଣ ଦେବା ପାଇଁ ଏକ ସ୍ପଷ୍ଟ ଢାଞ୍ଚା ପ୍ରସ୍ତୁତ କରିବାକୁ ବିଚାର କରିବାକୁ କହିଛନ୍ତି।
ଦୃଢ଼ ପଦକ୍ଷେପ ନେବାକୁ ନିର୍ଦ୍ଦେଶ
ପ୍ରଧାନ ବିଚାରପତି (CJI) ସୂର୍ଯ୍ୟ କାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ ଭି. ମୋହନାଙ୍କ ପୀଠ କେନ୍ଦ୍ର ସରକାର, ରାଜ୍ୟ ଏବଂ RBIକୁ ଏହି ସମ୍ପର୍କରେ ଦୃଢ଼ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୀଠ କହିଛନ୍ତି ଯେ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ପୋଲିସ ଗୃହ ମନ୍ତ୍ରଣାଳୟର ଜାନୁଆରୀ ୨ SOP ଅଧୀନରେ ଆରମ୍ଭ ହୋଇଥିବା ଅଭିଯୋଗ ନିବାରଣ ଓ ଟଙ୍କା ଫେରସ୍ତ ବ୍ୟବସ୍ଥାକୁ ପ୍ରଭାବଶାଳୀ ଭାବେ ଲାଗୁ କରନ୍ତୁ, ଯାହାଦ୍ୱାରା ପୀଡ଼ିତମାନେ ଆଇନଗତ ଅଧିକାରର ବ୍ୟବହାର କରି ପ୍ରଥମେ ଏହି ବିକଳ୍ପର ଲାଭ ଉଠାଇପାରିବେ।
CJI ସୂର୍ଯ୍ୟ କାନ୍ତ କହିଛନ୍ତି ଯେ ସୁପ୍ରିମ୍ କୋର୍ଟ ଆପଣା ନିଜର ପୂର୍ବ ଆଦେଶ (୧୦ ଡିସେମ୍ବର ୨୦୨୫ ଏବଂ ୯ ଫେବୃଆରୀ ୨୦୨୬)ରେ ଡିଜିଟାଲ୍ ଆରେଷ୍ଟ ସ୍କାମ୍ ନେଇ ସମ୍ପୃକ୍ତ ମନ୍ତ୍ରଣାଳୟଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ। ସେହି ନିର୍ଦ୍ଦେଶରେ CBI ତଦନ୍ତ, ମ୍ୟୁଲ୍ ଆକାଉଣ୍ଟ, ସିମ୍ କାର୍ଡ ଓ ସିମ୍ ବକ୍ସର ଅପବ୍ୟବହାର, ମଧ୍ୟସ୍ଥଙ୍କ ସହଯୋଗ, ଅଭିଯୋଗ ନିବାରଣ, ଠକେଇ ହୋଇଥିବା ଅର୍ଥ ଫେରସ୍ତ ଏବଂ ସାଂସ୍ଥାନିକ ସମନ୍ୱୟ ଭଳି ବିଷୟ ସାମିଲ ଥିଲା।
ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା 'ଇଣ୍ଡିଆନ୍ ସାଇବର କ୍ରାଇମ୍ କୋଅର୍ଡିନେସନ୍ ସେଣ୍ଟର' (I4C) ଦ୍ୱାରା ଦାଖଲ ହୋଇଥିବା ଚତୁର୍ଥ ଷ୍ଟାଟସ୍ ରିପୋର୍ଟରୁ ଜଣାପଡ଼ିଛି ଯେ, ମେ ୧୧, ୨୦୨୬ ଏବଂ ଜୁଲାଇ ୧୪, ୨୦୨୬ରେ ଅନ୍ତଃ-ବିଭାଗୀୟ କମିଟିର ଚତୁର୍ଥ ଓ ପଞ୍ଚମ ବୈଠକରେ ସମ୍ପୃକ୍ତ ମନ୍ତ୍ରଣାଳୟ, ନିୟାମକ, ତଦନ୍ତକାରୀ ସଂସ୍ଥା, ଟେଲିକମ୍ ସେବା ପ୍ରଦାନକାରୀ ଏବଂ ମଧ୍ୟସ୍ଥମାନଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦିଆଯାଇଛି।
ଡିଜିଟାଲ୍ ଆରେଷ୍ଟ ସ୍କାମରେ ହ୍ରାସ
ରିପୋର୍ଟ ଅନୁସାରେ, ନେସନାଲ୍ ସାଇବର କ୍ରାଇମ୍ ରିପୋର୍ଟିଂ ପୋର୍ଟାଲରେ ଡିଜିଟାଲ୍ ଆରେଷ୍ଟ ସ୍କାମ୍ ସମ୍ପର୍କିତ ଅଭିଯୋଗ ସଂଖ୍ୟା ୨୦୨୪ରେ ୧,୨୩,୬୭୨ ଥିବା ବେଳେ ୨୦୨୫ରେ ଏହା ହ୍ରାସ ପାଇ ୫୮,୨୪୯ ହୋଇଥିଲା। ଜୁନ୍ ୩୦, ୨୦୨୬ ସୁଦ୍ଧା ଏହା ଆହୁରି କମି ୧୬,୩୭୭ରେ ପହଞ୍ଚିଛି। ଏହା ସହିତ ଠକେଇରେ ହରାଇଥିବା ଅର୍ଥରାଶିରେ ମଧ୍ୟ ଯଥେଷ୍ଟ ହ୍ରାସ ଘଟିଛି।
୩୬,୨୯୦ ମାମଲାରେ ଟଙ୍କା ଫେରସ୍ତ
I4C ଦ୍ୱାରା ଦାଖଲ ଷ୍ଟାଟସ୍ ରିପୋର୍ଟକୁ ଆଧାର କରି କୋର୍ଟ ଲକ୍ଷ୍ୟ କରିଛନ୍ତି ଯେ, ୫୭ଟି ବ୍ୟାଙ୍କ ଏବଂ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଭାଗିଦାରୀରେ ୩୬,୨୯୦ଟି ମାମଲାରେ ଠକେଇ ହୋଇଥିବା ୧୮.୦୫ କୋଟି ଟଙ୍କା ପୀଡ଼ିତଙ୍କୁ ଫେରସ୍ତ କରାଯାଇଛି। ଅନ୍ୟପଟେ CBI ମଧ୍ୟ ଡିଜିଟାଲ୍ ଆରେଷ୍ଟ ଓ ଏହା ସହ ଜଡ଼ିତ ଅନେକ ମାମଲା ରୁଜୁ କରିଛି।
୧୬ଟି ରାଜ୍ୟର ୯୩ଟି ସ୍ଥାନରେ ଚଢ଼ଉ
CBIର ଅଗ୍ରଗତି ଉପରେ ଧ୍ୟାନ ଦେଇ ପୀଠ କହିଛନ୍ତି ଯେ, ଏହି ସଂସ୍ଥା ଡିଜିଟାଲ୍ ଆରେଷ୍ଟ ସମ୍ପର୍କିତ ମାମଲା ରୁଜୁ କରି ୬୭ଟି ପ୍ରଥମ-ସ୍ତରୀୟ (First-layer) ବ୍ୟାଙ୍କ ଆକାଉଣ୍ଟ ଲେଣଦେଣ ମାଧ୍ୟମରେ ପୀଡ଼ିତମାନଙ୍କୁ ଚିହ୍ନଟ କରିଛି ଏବଂ ୧୬ଟି ରାଜ୍ୟର ୯୩ଟି ସ୍ଥାନରେ ଚଢ଼ଉ କରିଛି।
କୋର୍ଟଙ୍କ ପ୍ରମୁଖ ନିର୍ଦ୍ଦେଶାବଳୀ:
• ସାଇବର ଆର୍ଥିକ ଠକେଇ ଯୋଗୁଁ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ (Freeze) ହେବା ସମ୍ପର୍କିତ ମାମଲାଗୁଡ଼ିକର ଦ୍ରୁତ ନିଷ୍ପତ୍ତି ପାଇଁ ଅଧିକାରୀମାନେ ଉଚିତ୍ ପଦକ୍ଷେପ ନେବେ।
• ଅନ୍ତଃ-ବିଭାଗୀୟ କମିଟି ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ମନ୍ତ୍ରଣାଳୟ ଓ ସରକାରୀ ବିଭାଗଗୁଡ଼ିକୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଜାରି କରିବେ, ଯାହାଦ୍ୱାରା ସେମାନେ ଏହି ବିଷୟରେ ସଚେତନତା କାର୍ଯ୍ୟକ୍ରମ ଚଲାଇପାରିବେ।
• ସାଇବର ଅପରାଧ, ଅଭିଯୋଗ ନିବାରଣ ଓ ଟଙ୍କା ଫେରସ୍ତ ମଡ୍ୟୁଲ୍ ସହ ଗୃହ ମନ୍ତ୍ରଣାଳୟର (MHA) SOP ଅନୁସାରେ କାର୍ଯ୍ୟ ହେବ।
• ଅନ୍ତଃ-ବିଭାଗୀୟ କମିଟି ବ୍ୟାଙ୍କଗୁଡ଼ିକ ସହ ମିଶି ଏପରି ପଦକ୍ଷେପ ନେବେ ଯାହା ଦ୍ୱାରା ଡିଜିଟାଲ୍ ଆରେଷ୍ଟ ସ୍କାମ୍ ରୋକାଯାଇପାରିବ, ଠକେଇ ଟଙ୍କା ଫେରସ୍ତ ମିଳିପାରିବ, ତଦନ୍ତ ସହଜ ହେବ ଏବଂ ଆଇନଗତ ସହଯୋଗ ସୁନିଶ୍ଚିତ ହେବ।
• ଆଇନଗତ ସେବା ସମିତିଗୁଡ଼ିକ ଡିଜିଟାଲ୍ ଆରେଷ୍ଟ ସ୍କାମରୁ ବଞ୍ଚିବା, ସାଇବର ସୁରକ୍ଷା ଓ ଟଙ୍କା ଫେରସ୍ତ ପାଇଁ ଜନ-ସଚେତନତା ଅଭିଯାନ ଚଲାଇବେ। ଭାଗିଦାରୀ ଜବାବଦିହିତା ଏବଂ ପୀଡ଼ିତ କ୍ଷତିପୂରଣ ଢାଞ୍ଚାର ସମୀକ୍ଷା ପାଇଁ ଅନ୍ତଃ-ବିଭାଗୀୟ କମିଟି ଗଠନ କରାଯିବ।
• CBI ତଦନ୍ତ ପାଇଁ ବର୍ତ୍ତମାନର ଆର୍ଥିକ ସୀମା (Monetary Threshold) କୁ କମ୍ କରିବା ଏବଂ ଗୋଟିଏ ସଂଗଠିତ ନେଟୱର୍କ ସହ ଜଡ଼ିତ ମାମଲାଗୁଡ଼ିକୁ ଏକତ୍ର କରିବା ପ୍ରସ୍ତାବର ଯାଞ୍ଚ କମିଟି କରିବ।
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ, ଟେଲିକମ୍ ବିଭାଗ ଏବଂ I4Cକୁ ଅଡିଓ ଓ ଭିଡିଓ କଲ୍ ପାଇଁ ଟେଲିକମ୍ ସେବା ଉପରେ ସମୟ-ଭିତ୍ତିକ ପ୍ରତିବନ୍ଧକ (Time-based restrictions) ଲଗାଇବା ପ୍ରସ୍ତାବର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପ୍ରସ୍ତାବର ବ୍ୟବହାରିକତା ଓ ବିକଳ୍ପ ସମ୍ପର୍କରେ କୋର୍ଟଙ୍କ ସମ୍ମୁଖରେ ଏକ ସଂକ୍ଷିପ୍ତ ରିପୋର୍ଟ ସାଖଲ କରିବାକୁ କୁହାଯାଇଛି।
ସେପ୍ଟେମ୍ବର ୧୬ରେ ପରବର୍ତ୍ତୀ ଶୁଣାଣି
ସୁପ୍ରିମ୍ କୋର୍ଟ ଏପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିକୁ ପ୍ରଶଂସା କରିବା ସହ କହିଛନ୍ତି ଯେ ବର୍ତ୍ତମାନର ବ୍ୟବସ୍ଥାକୁ ଅଧିକ ବ୍ୟାପକ ସ୍ତରରେ ଲାଗୁ କରିବା, ମାମଲାର ଦ୍ରୁତ ନିଷ୍ପତ୍ତିି ଏବଂ ନିରନ୍ତର ନଜର ରଖିବା ଆବଶ୍ୟକ। ସୁପ୍ରିମ୍ କୋର୍ଟ ପରବର୍ତ୍ତୀ ଶୁଣାଣି ତାରିଖ ପୂର୍ବରୁ ନୂଆ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୬ରେ ହେବ।