କୋଲକାତା: ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଚକ୍ଷୁ ଚିକିତ୍ସା ପାଇଁ ବିଦେଶ ଯାତ୍ରା ଅନୁମତି ଦେବା ମାମଲାରେ କୋଲକାତା ହାଇକୋର୍ଟ ତାଙ୍କ ନିଷ୍ପତ୍ତିକୁ ଦୋହରାଇଛନ୍ତି । ବୁଧବାର ହାଇକୋର୍ଟ ଅଭିଷେକ ବିଦେଶ ଯାତ୍ରା ଅନୁମତିକୁ ପୁନର୍ବାର ଖାରଜ କରିଛନ୍ତି ।
ବିଚାରପତି ସୌଗତ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ୱରେ ଏକକ ଖଣ୍ଡପୀଠ ମତ ଦେଇଥିଲେ ଯେ ବାନାର୍ଜୀ ନିର୍ବାଚନ ପ୍ରଚାର ସମୟରେ ଦିଆଯାଇଥିବା ଧମକପୂର୍ଣ୍ଣ ଏବଂ ପ୍ରଲୋଭିତ ବୟାନ ପାଇଁ ମାମଲାର ସମ୍ମୁଖୀନ କରୁଛନ୍ତି । କିନ୍ତୁ ତାଙ୍କୁ ଯେଉଁ ଚକ୍ଷୁ ଚିକିତ୍ସାରେ ଆବଶ୍ୟକତା ରହିଛି ତାହା ଭାରତରେ ଉପଲବ୍ଧ ଥିବାରୁ ତାଙ୍କୁ ଦେଶ ଛାଡିବାକୁ କୌଣସି ଆବଶ୍ୟକତା ନାହିଁ । ବିଚାରପତି କହିଛନ୍ତି ଚିକିତ୍ସା କରିବାର ସ୍ଥାନଠାରୁ ଚିକିତ୍ସା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହା ସହିତ ହାଇକୋର୍ଟ ତାଙ୍କୁ ରାଜ୍ୟ ଏସଏସକେଏମ୍ ହସ୍ପିଟାଲର ଚକ୍ଷୁ ବିଭାଗ ମୁଖ୍ୟଙ୍କ ନିକଟରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଷେକଙ୍କ ଚିକିତ୍ସା ଏଠାରେ ହୋଇପାରିବ କି ନାହିଁ ତାହା ଚକ୍ଷୁ ଡାକ୍ତରମାନେ ନିର୍ଣ୍ଣୟ କରିବେ । ଡାକ୍ତରଙ୍କ ରିପୋର୍ଟ ନ ମିଳିବା ପର୍ଯ୍ୟନ୍ତ ବିଦେଶ ଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ।
ପୂର୍ବରୁ ସମାନ ଆବେଦନରେ କୋଲକାତା ହାଇକୋର୍ଟ ଅଭିଷେକଙ୍କ ଆବେଦନକୁ ଖାରଜ କରିଥିଲେ । ଏହା ପରେ ଅଭିଷେକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତ ସୋମବାର ଦିନ ସୁପ୍ରିମକୋର୍ଟ କୋଲିକତା ହାଇକୋର୍ଟକୁ ଏକ ସପ୍ତାହ ମଧ୍ୟରେ ତାଙ୍କ ଆବେଦନର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଥିଲେ।