ଭୁବନେଶ୍ୱର :ସଂଶୋଧିତ ପାଠ୍ୟ ପୁସ୍ତକ ତ୍ରୁଟି ଖବର ସମ୍ପର୍କରେ ସ୍ପଷ୍ଟୀକରଣ ଜାରି କଲା ଗଣଶିକ୍ଷା ବିଭାଗ । ସଂଶୋଧିତ ପାଠ୍ୟ ପୁସ୍ତକରେ ତ୍ରୁଟି ଥିବା କିଛି ଗଣମାଧ୍ୟମରେ ପ୍ରଚାର କରାଯାଉଛି । ଉକ୍ତ ଖବରର କୌଣସି ଯଥାର୍ଥତା ନାହିଁ ବୋଲି ବିଭାଗ କହିଛି । ବିଭିନ୍ନ ଶିକ୍ଷାବିତ୍ ଓ ବିଷୟ ବିଶେଷଜ୍ଞଙ୍କ ମତାମତ ଆଧାରରେ ପାଠ୍ୟପୁସ୍ତକଗୁଡ଼ିକର ସଂଶୋଧନ ଜାରି ରହିଛି ଏବଂ ଖୁବ୍ ଶୀଘ୍ର ସଂଶୋଧିତ ପୁସ୍ତକ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଯୋଗାଇ ଦିଆଯିବ ।
ସୂଚନା ଥାଉକି ଚଳିତ ବର୍ଷ ନୂତନ ପାଠ୍ୟପୁସ୍ତକରେ ଅନେକ ତ୍ରୁଟି ବାହାରିଥିଲା ଏହି ଘଟଣାରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ବୋଲି କହିଥିଲେ । ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (SCERT)ର ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ଲିଖିତ ଅଭିଯୋଗକୁ ଆଧାର କରି କ୍ରାଇମବ୍ରାଞ୍ଚ ପକ୍ଷରୁ ଜୁଲାଇ ୧୩ରେ ମାମଲା (ନଂ.୦୮/୨୦୨୬) ରୁଜୁ କରିଥିଲା । ଏହି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।
ଅନ୍ୟପଟେ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଜଣେ କିମ୍ବା ଦୁଇଜଣ ନୁହନ୍ତି, ୨୪୦ ଜଣ ସାମିଲ ରହିଛନ୍ତି ବୋଲି କ୍ରାଇମବ୍ରାଞ୍ଚ କହିଛି ।