ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଭୁବନେଶ୍ୱର ବାଲିଅନ୍ତା ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆଜି ୯୦ ଦିନ ପୂରଣ ହୋଇଛି । ଆଜି କ୍ରାଇମବ୍ରାଞ୍ଚ ସୌମ୍ୟ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି । ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ୭୬୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ ।
ଏହି ମାମଲାରେ କ୍ରାଇମବ୍ରାଞ୍ଚ ମୋଟ ୨୦ ଜଣଙ୍କୁ ଗିରଫ କରିଥିବାବେଳେ ଚାର୍ଜସିଟରେ ୧୧ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି । ଅନ୍ୟ ଗିରଫ ୯ ଜଣଙ୍କ ବିରୋଧରେ ପ୍ରମାଣ ମିଳିନଥିବା କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଉଲ୍ଲେଖ କରିଛି ।
ଗତ ମେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବର୍ବରତା ତଥା ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ପୁଣି ଜଣେ ଅଭିଯୁକ୍ତ ଧରାପଡ଼ିଛି । ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ମଙ୍ଗରାଜ ଓରଫ୍ ଦିପୁ (୪୬)କୁ ଢେଙ୍କାନାଳରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।
ଗତକାଲି ବିଳମ୍ବିତ ରାତିରେ ପ୍ରଦୀପକୁ ଢେଙ୍କାନାଳରୁ ଗିରଫ କରାଯାଇଛି । ତାର ଘର ବାଲିଅନ୍ତା ବେଣୁପୁର ଗ୍ରାମରେ ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ଏହି ମାମଲାରେ ମୃତକଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି ।
ଗତ ମାସ ୭ ତାରିଖରେ ବାଲିଅନ୍ତାରେ ଏକ ଦୁର୍ଘଟଣାକୁ ନେଇ ତୁମୁଳକାଣ୍ଡ ହୋଇଥିଲା । ମୃତ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ଏବଂ ତାଙ୍କ ସାଙ୍ଗ ଓମ୍ ପ୍ରକାଶ ବାଇକରେ ଯାଉଥିବାବେଳେ ଦୁଇ ଜଣ ଝିଅ ଯାଉଥିବା ଏକ ସ୍କୁଟି ସହିତ ଦୁର୍ଘଟଣା ହୋଇଥିଲା । ଏହି ସମୟରେ ସୌମ୍ୟ ବାଇକରୁ ଓହ୍ଲାଇ ଜଣେ ଝିଅଙ୍କୁ ବାଡ଼ାବାଡ଼ି କରିବା ସହିତ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ କରିଥିଲେ । ଏହା ପରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ସୌମ୍ୟଙ୍କ ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଏହା ପରେ ସୌମ୍ୟଙ୍କୁ ଏକ ଡାଲା ଅଟୋରେ ପକାଇ ହସ୍ପିଟାଲ ନିଆଯାଇଥିଲା । ସବୁଠାରୁ ବିଚଳିତ କରିବା ଦୃଶ୍ୟ ଥିଲା ସୌମ୍ୟଙ୍କୁ ଏକ ବାଉଁଶରେ ବାନ୍ଧି ଗାଡ଼ିରେ ପକାଇ ଯାଇଥିଲା । ଖାଲି ସେତିକି ନୁହେଁ ସେଠାରେ ପୋଲିସ ନିରବଦ୍ରଷ୍ଟା ସାଜିଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହି ମାମଲା ରାଜ୍ୟରୁ ନେଇ ଜାତୀୟ ଗଣମାଧ୍ୟମର ଖବର ଶିରୋନାମା ପାଲଟିଥିଲା । ସରକାର ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଘଟଣା ସମୟରେ ଉତ୍ତୋଳନ ହୋଇଥିବା ଭିଡ଼ିଓ, ପ୍ରତ୍ୟକ୍ଷଦର୍ଶୀ ଓ ଡିଜିଟାଲ ପ୍ରମାଣ ଆଧାରରେ ବାଲିଅନ୍ତା ପୋଲିସ ଏବଂ କ୍ରାଇମବ୍ରାଞ୍ଚ ପର୍ୟ୍ୟାୟକ୍ରମେ ୨୦ ଜଣଙ୍କୁ ଗିରଫ କରିଥିଲା ।