ରାୟଗଡା ଜିଲ୍ଲାର କୋଲନରା ବ୍ଲକ ଅଧୀନ ରିବଲକଣା ବିଦ୍ୟାଳୟରେ ଘଟିଥିବା ଛାତ୍ର ନିର୍ଯାତନା ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। ଘଟଣାର ତଦନ୍ତ ପାଇଁ ଚାନ୍ଦିଲି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ମଙ୍ଗଳ ବିଭାଗ ମଧ୍ୟ ଏହାକୁ ଗୁରୁତର ଭାବେ ନେଇଛନ୍ତି।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ପୋଲିସ ବିଦ୍ୟାଳୟରେ ପହଞ୍ଚିବା ପରେ ଦଶମ ଶ୍ରେଣୀର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ବୁଝାସୁଝା ପରେ ସେମାନଙ୍କ ମଧ୍ୟରୁ ୪ ଜଣ ଫେରିଥିବା ବେଳେ ଏବେ ମଧ୍ୟ ୩ ଜଣ ଛାତ୍ର ନିଖୋଜ ରହିଛନ୍ତି। ପୋଲିସ ସେମାନଙ୍କୁ ଖୋଜିବା ସହ ଘଟଣାର ସମସ୍ତ ଦିଗରୁ ତଦନ୍ତ କରୁଛି।
ଅଭିଯୋଗ ଅନୁଯାୟୀ, ରାତି ପ୍ରାୟ ୧୨ଟା ସମୟରେ ଜଣେ ସିନିୟର ଛାତ୍ର ହଷ୍ଟେଲରେ ୨୭ ଜଣ ଛାତ୍ରଙ୍କୁ ବର୍ବର ଭାବେ ମାଡ଼ ମାରିଥିଲେ। ଏତେ ବଡ଼ ଘଟଣା ସମୟରେ ଅନ୍ୟ କେହି କାହିଁକି ଅଟକାଇଲେ ନାହିଁ ଏବଂ ହଷ୍ଟେଲରେ ଶିକ୍ଷକ କିମ୍ବା ଦାୟିତ୍ୱପ୍ରାପ୍ତ କର୍ମଚାରୀ କାହିଁକି ଉପସ୍ଥିତ ନଥିଲେ, ସେନେଇ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି।
ଘଟଣାକୁ ନେଇ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଦୁଃଖ ପ୍ରକାଶ କରିବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସେହିପରି କୋଲନରା ବିଡିଓ ରିନା ପ୍ରଧାନ ବିଦ୍ୟାଳୟକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି। ଜିଲ୍ଲା ମଙ୍ଗଳ ଅଧିକାରୀ ଅସିମା ରାଓ କହିଛନ୍ତି ଯେ, ଘଟଣାର ସବିଶେଷ ତଦନ୍ତ କରାଯାଉଛି ଏବଂ ଦୋଷୀଙ୍କ ବିରୋଧରେ ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ।