ଭଦ୍ରକ: ଯାଜପୁର ପରେ ଭଦ୍ରକରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ସହ ତିହିଡି ଏବଂ ଚାନ୍ଦବାଲି ବନ୍ୟା ଅଞ୍ଚଳ ପରିଦର୍ଶନ କରି ପୀଡ଼ିତଙ୍କ ସହିତ ଆଲୋଚନା କରିଛନ୍ତି । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି ।
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ ଭଦ୍ରକ ଜିଲ୍ଲାର ୬ଟି ବ୍ଲକ ଓ ୩ଟି ସହରାଞ୍ଚଳ ବହୁଳ ଭାବେ ପ୍ରଭାବିତ ହୋଇଛି । ଜିଲ୍ଲାର ୫୦୦ରୁ ଅଧିକ ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି । ଏବେ ମଧ୍ୟ କେତେକ ଅଞ୍ଚଳରେ ରନ୍ଧା ଖାଦ୍ୟ ଦିଆଯାଉଛି । ଘର ଭଙ୍ଗାର ଆକଳନ ଆରମ୍ଭ ହୋଇଛି । ସମ୍ପୂର୍ଣ୍ଣ ବନ୍ୟା ଜଳ ଛାଡ଼ିବା ପରେ ଚାଷ କ୍ଷତିର ଆକଳନ କରାଯିବ । ସରକାର ଚାଷୀଙ୍କ ପାଇଁ ଉତ୍କୃଷ୍ଟ ବିହନ ଯୋଗାଇବା ପାଇଁ ବିଚାର କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ଉଲ୍ଲେଖ ଯୋଗ୍ୟ, ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଥମେ ଯାଜପୁର ବଡ଼ଚଣା ଓ ଦଶରଥପୁର ବ୍ଲକରେ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ସେଠାରେ ବୈତରଣୀର ଶାଖା କାଣୀ ନଦୀର ଘାଇ ମୁହଁ ପରିଦର୍ଶନ କରି ମରାମତି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅଧିକାରୀଙ୍କଠାରୁ ତଥ୍ୟ ନେଇଥିଲେ। ପରେ ବନ୍ୟା ବିପନ୍ନଙ୍କୁ ଭେଟି ସେମାନଙ୍କ ଦୁର୍ଦ୍ଦଶା ଓ ସମସ୍ୟା ବୁଝିଥିଲେ। ରିଲିଫ, ପୁନରୁଦ୍ଧାର ଓ କ୍ଷତିଗ୍ରସ୍ତଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇବା ପାଇଁ ପ୍ରଶାସନକୁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।