ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଦେଖାଇଛି ନୂଆପଡ଼ା ଜିଲ୍ଲା ପ୍ରଶାସନ। ଲାଞ୍ଚ ନେଉଥିବା ଅଭିଯୋଗରେ ଖରିଆର ପଞ୍ଚାୟତ ସମିତିର ବରିଷ୍ଠ ରାଜସ୍ୱ ସହାୟକ ମୋହନ ବାଗଙ୍କୁ ଜିଲ୍ଲାପାଳ ମଧୁସୂଦନ ଦାଶ ତୁରନ୍ତ ପ୍ରଭାବରୁ ନିଲମ୍ବନ କରିଛନ୍ତି।
ସୂଚନା ଅନୁସାରେ, ଜଣେ ଠିକାଦାରଙ୍କଠାରୁ ଟଙ୍କା ନେଉଥିବା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହାପରେ ଘଟଣାକୁ ଗୁରୁତର ଭାବେ ନେଇ ଖରିଆର ବିଡିଓ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ-କମ୍-କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳ ତୁରନ୍ତ ନିଲମ୍ବନ ଆଦେଶ ଜାରି କରିଛନ୍ତି।
ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଶ୍ରେଣୀକରଣ, ନିୟନ୍ତ୍ରଣ ଓ ଅପିଲ୍) ନିୟମ, ୧୯୬୨ ଅନୁଯାୟୀ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ କରାଯାଇଛି। ନିଲମ୍ବନ ସମୟରେ ତାଙ୍କର ମୁଖ୍ୟାଳୟ ସିନାପାଲି ତହସିଲ କାର୍ଯ୍ୟାଳୟରେ ରହିବ ଏବଂ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମତି ବିନା ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ।
ଜିଲ୍ଲାପାଳ ମଧୁସୂଦନ ଦାଶ ସ୍ପଷ୍ଟ କରିଛନ୍ତି ଯେ, ଦୁର୍ନୀତି, ଅନିୟମିତତା କିମ୍ବା ସରକାରୀ କ୍ଷମତାର ଅପବ୍ୟବହାର ପ୍ରତି ଜିଲ୍ଲା ପ୍ରଶାସନର 'ଜିରୋ ଟଲରେନ୍ସ' ନୀତି ରହିଛି। ଏପରି ଅଭିଯୋଗ ଆସିଲେ ଆଇନ ଅନୁଯାୟୀ ତୁରନ୍ତ ଓ କଠୋର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।