ପୁରୀ ଜିଲ୍ଲାର ବନ୍ୟା ପ୍ରଭାବିତ ପିପିଲି ଓ କଣାସ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ବନ୍ୟା ବିପନ୍ନଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ଏସଆରସି (SRC) ବୋଟ୍ରେ ଦୟା ନଦୀ ଦେଇ ବନ୍ୟା ଅଞ୍ଚଳ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି।
ମନ୍ତ୍ରୀ ପ୍ରଥମେ ପିପିଲିର କଣ୍ଟି କାଜ ଓ ମୁଣ୍ଡାସାହି ଗ୍ରାମରେ ପହଞ୍ଚି ବନ୍ୟା ପୀଡ଼ିତଙ୍କ ସମସ୍ୟା ଶୁଣିଥିଲେ। ପରେ କଣାସ ବ୍ଲକର ଦୋକନ୍ଦା ଗ୍ରାମରୁ ବୋଟ୍ ଯୋଗେ ବଳଭଦ୍ରପୁର, ତରପଡ଼ା, ବଡ଼ାସ ଓ ବୈଦ୍ୟନାଥ ପାଟଣା ଭଳି ବନ୍ୟା କବଳିତ ଅଞ୍ଚଳ ପରିଦର୍ଶନ କରିଥିଲେ। ଦୟା, ରାଜୁଆ ଓ ମନ୍ଦାକିନୀ ନଦୀର ବଢ଼ୁଥିବା ଜଳସ୍ତର ଯୋଗୁଁ ଆଉ କ୍ଷୟକ୍ଷତି ନ ହେଉ, ସେଥିପାଇଁ ସରକାର ସତର୍କ ରହିଥିବା ସେ କହିଛନ୍ତି।
ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଆଧାରରେ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକୁ ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି। ବନ୍ୟା ପାଣି ସମ୍ପୂର୍ଣ୍ଣ ଛାଡ଼ିବା ପରେ ଧାନ, ପନିପରିବା ଓ ଘରବାଡ଼ିର କ୍ଷୟକ୍ଷତି ଆକଳନ କରାଯିବ ଏବଂ ଚୂଡ଼ାନ୍ତ ରିପୋର୍ଟ ଅନୁଯାୟୀ କ୍ଷତିପୂରଣ ଦିଆଯିବ।
ବନ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରୁଥିବା ବେଳେ ଆଇଆଇଟି ବିଶେଷଜ୍ଞଙ୍କ ପରାମର୍ଶରେ ନଦୀ ଡ୍ରେଜିଂ, ନଦୀ ଶଯ୍ୟା ପ୍ରଶସ୍ତୀକରଣ, ଘେରିବନ୍ଧ ନିର୍ମାଣ ଏବଂ ବିଚ୍ଛିନ୍ନ ରାସ୍ତାର ଉନ୍ନତି କରାଯିବ। ସ୍ଥାନୀୟ ଲୋକଙ୍କ ମତାମତକୁ ଗୁରୁତ୍ୱ ଦେଇ ବନ୍ୟା ମୁକାବିଲା ପାଇଁ ଦୀର୍ଘମିଆଦି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।