ବ୍ରହ୍ମପୁରର ଏମ୍କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇଛନ୍ତି। ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ ବୁଧବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଉଚ୍ଚସ୍ତରୀୟ ଟିମ୍ ଏମ୍କେସିଜି ମେଡିକାଲ କଲେଜରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଏହି ଟିମ୍ରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ବିଜୟ କୁମାର ମିଶ୍ର, ଅତିରିକ୍ତ ସଚିବ ବିଜୟ କୁମାର ଦାସ ଏବଂ ଯୁଗ୍ମ ଡିଏମ୍ଇଟି (DMET) ଅନୀଲ କୁମାର ସାହୁ ସାମିଲ ଅଛନ୍ତି। ପରୀକ୍ଷା ପରିଚାଳନା ସହ ଜଡ଼ିତ ବିଭିନ୍ନ ଦସ୍ତାବେଜ ଯାଞ୍ଚ କରିବା ସହ କଲେଜର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଘଟଣାର ସମସ୍ତ ଦିଗକୁ ଖତିଆନ କରାଯାଉଛି।
ପ୍ରଶ୍ନପତ୍ର କେଉଁ ପରିସ୍ଥିତିରେ ଏବଂ କେଉଁ ସ୍ତରରେ ଲିକ୍ ହୋଇଥିଲା, ସେନେଇ ତଥ୍ୟ ସଂଗ୍ରହ କରାଯାଉଛି। ତଦନ୍ତ ଶେଷ ହେବା ପରେ ଟିମ୍ ସରକାରଙ୍କୁ ବିସ୍ତୃତ ରିପୋର୍ଟ ଦାଖଲ କରିବ। ସେହି ରିପୋର୍ଟ ଆଧାରରେ ଯଦି କୌଣସି ଅନିୟମିତତା କିମ୍ବା ଅବହେଳା ସାମ୍ନାକୁ ଆସେ, ତେବେ ସଂପୃକ୍ତ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।
ମେଡିକାଲ ପିଜି ପରୀକ୍ଷା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ରାଜ୍ୟର ମେଡିକାଲ ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ଏବେ ସମସ୍ତଙ୍କ ନଜର ତଦନ୍ତ ରିପୋର୍ଟ ଉପରେ ରହିଛି, କାରଣ ଏହା ପରେ ହିଁ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।