କେନ୍ଦୁଝର: ବନ୍ୟା ପ୍ରଭାବିତ କେନ୍ଦୁଝର ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବା ସହ ପ୍ରଭାବିତ ଲୋକଙ୍କୁ ନିରବଚ୍ଛିନ୍ନ ଜରୁରୀ ସେବା ଯୋଗାଇବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବୁଧବାର କେନ୍ଦୁଝର ସର୍କିଟ୍ ହାଉସରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମନ୍ତ୍ରୀ ନିକଟରେ ହୋଇଥିବା ବନ୍ୟାର କ୍ଷୟକ୍ଷତି ଓ ବିଭିନ୍ନ ବିଭାଗ ପକ୍ଷରୁ ଚାଲିଥିବା ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।
ବୈଠକରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ଏସ୍ପି କୁସଲକର ନିତିନ ଦାଗୁଡୁ, ଡିଏଫଓ ଧନରାଜ ହନୁମନ୍ତ ଧାମଧେରେ, ସ୍ପେଶାଲ୍ ଡେଭଲପମେଣ୍ଟ କାଉନ୍ସିଲର ଅଧ୍ୟକ୍ଷା ମମିତା ନାୟକ, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପରିଷଦର ସିଡିଓ-କମ୍-ଇଓ କୁମାର ନାଗଭୂଷଣଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଅଧିକାରୀମାନେ ବନ୍ୟା ଯୋଗୁଁ ରାସ୍ତା, ପୋଲ, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ୍ ସେବା, ଚାଷଜମି ଓ ଜଙ୍ଗଲ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହାସହ ରାସ୍ତା ଯୋଗାଯୋଗ ସ୍ୱାଭାବିକ କରିବା, ପାନୀୟ ଜଳ ବ୍ୟବସ୍ଥା ମରାମତି, ଜରୁରୀକାଳୀନ ଟିମ୍ ମୁତୟନ ଓ ପ୍ରଭାବିତ ଗ୍ରାମଗୁଡ଼ିକରେ ରିଲିଫ୍ ସାମଗ୍ରୀ ବଣ୍ଟନ କାର୍ଯ୍ୟର ସୂଚନା ଦେଇଥିଲେ।
ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ ମନ୍ତ୍ରୀ ପ୍ରଶଂସା କରିବା ସହ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ କହିଥିଲେ। ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ସମୟମତେ ସହାୟତା ଯୋଗାଇବା ଏବଂ ଜିଲ୍ଲାରେ ସମ୍ପୂର୍ଣ୍ଣ ସ୍ୱାଭାବିକ ସ୍ଥିତି ଫେରିବା ପର୍ଯ୍ୟନ୍ତ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।