ଭୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ହଷ୍ଟେଲ ଅନ୍ତେବାସୀ ଏବଂ ୱାର୍ଡେନଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଭିନ୍ନ ମୋଡ଼ ନେଇଛି । ବିଶ୍ୱବିଦ୍ୟାଳୟରେ ରାଜନୈତିକ ହସ୍ତକ୍ଷେପକୁ ବିରୋଧ କରି ସମସ୍ତ ହଷ୍ଟେଲର ୱାର୍ଡେନମାନେ ସମୂହ ଇସ୍ତଫା ଦେଇଛନ୍ତି । ସମସ୍ତେ କୁଳପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।
ବନ୍ଧୁତ୍ୱ ଦିବସ ପାଳନକୁ ନେଇ ରେଭେନ୍ସା ଇଷ୍ଟ ହଷ୍ଟେଲରେ ଛାତ୍ର ଏବଂ ଡେପୁଟି ୱାର୍ଡେନଙ୍କ ମଧ୍ୟରେ ବିବାଦ ଏବେ ଭିନ୍ନ ରୂପ ନେଇଛି । ଗତ ରବିବାର ସକାଳୁ ଛାତ୍ରଙ୍କ ରୁମରେ ତାଲା ପକାଇବାକୁ ନେଇ ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବାରମ୍ବାର ଛାତ୍ରମାନଙ୍କ ସହିତ ଆଲୋଚନା କରିବା ପରେ ବିଫଳ ହୋଇଥିଲା । ଶେଷରେ କଟକ ସଦର ବିଧାୟକ ପ୍ରକାଶ ସେଠୀ ବିଶ୍ୱବିଦ୍ୟାଳୟକୁ ଯାଇ ଛାତ୍ରମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ସମୟରେ ଚିଫ୍ ଓ୍ୱାର୍ଡେନ ଏବଂ କିଛି ଅଧ୍ୟାପକଙ୍କ ଉଦ୍ଦେଶ୍ୟରେ ବିଧାୟକ କିଛି ବିବାଦୀୟ ମନ୍ତବ୍ୟ ଦେଇଥିବାର ଅଭିଯୋଗ ହୋଇଥିଲା । ଏହା ପରେ ସମସ୍ତ ୱାର୍ଡେନଙ୍କ ସମୂହ ଇସ୍ତଫା ଦେଇଛନ୍ତି ।