ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟରେ ଦୁଇଟି କଲରାପତରିଆ ବାଘ ଦେଖିବାକୁ ମିଳିଛି । ସୋମବାର ସନ୍ଧ୍ୟା ସମୟରେ ଏକ ବ୍ୟସ୍ତବହୁଳ ଜଙ୍ଗଲ ରାସ୍ତା କଡ଼ରେ ଦୁଇଟି କଲରାପତରିଆ ବାଘ ବୁଲୁଥିବାର ଦେଖିବାକୁ ମିଳିଥିଲା। ବାଘ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏହି ରାସ୍ତାଦେଇ ଯାତାୟାତ କରିବା ପାଇଁ ଲୋକମାନେ ଭୟ କରୁଛନ୍ତି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, କିଛି ଯୁବକ ସୁନାବେଡ଼ାରୁ ଜାମଗାଁ ଅଭିମୁଖେ ଯାଉଥିବା ସମୟରେ ହଠାତ୍ ରାସ୍ତା କଡ଼ରେ ଦୁଇଟି କଲରାପତରିଆ ବାଘଙ୍କୁ ଦେଖିବାକୁ ପାଇଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ବାଘ ରାସ୍ତା କଡ଼ରେ କିଛି ସମୟ ରହିଥିଲା ଯାହାର ସ୍ପଷ୍ଟ ଭିଡିଓ ଯାତ୍ରୀମାନେ ନିଜ ମୋବାଇଲ୍ ଫୋନ୍ରେ କଏଦ କରିଥିଲେ । ତେବେ ସନ୍ଧ୍ୟା ସମୟର ଅନ୍ଧକାରର ସୁଯୋଗ ନେଇ ଅନ୍ୟ ବାଘଟି ଘଞ୍ଚ ଜଙ୍ଗଲ ଭିତରକୁ ଅଦୃଶ୍ୟ ହୋଇଯାଇଥିଲା।
ସ୍ଥାନୀୟ ବାସିନ୍ଦାମାନେ ବନ ବିଭାଗକୁ ଏନେଇ ସୂଚନା ଦେଇ ବାଘର ଗତିବିଧି ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ବନ ବିଭାଗ ପକ୍ଷରୁ ମଧ୍ୟ ଲୋକଙ୍କୁ ସତର୍କ ରହିବା ଏବଂ ଏକାକୀ ଜଙ୍ଗଲ ରାସ୍ତାରେ ଯାତାୟାତ ନକରିବା ପାଇଁ ପରାମର୍ଶ ଦିଆଯାଇଛି।