ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବନ୍ୟା ଯୋଗୁଁ ଏବେ ନଦୀ, ନାଳ ଓ ପୋଖରୀର ଜଳସ୍ତର ବୃଦ୍ଧି ପାଇଛି। ବିଶେଷକରି ବର୍ଷା ଋତୁରେ ବ୍ରାହ୍ମଣୀ, ମହାନଦୀ ଓ ବୈତରଣୀ ନଦୀ ପ୍ରଣାଳୀରେ ଜଳସ୍ତର ବୃଦ୍ଧି ପାଇଥିବାରୁ କୁମ୍ଭୀର ଆକ୍ରମଣ ଭୟ ଦେଖାଦେଇଛି। ଏହାକୁ ନଜରରେ ରଖି ଲୁଣା ଜଙ୍ଗଲ ବନଖଣ୍ଡ ଏବଂ ରାଜନଗର ବନ ବିଭାଗ ପକ୍ଷରୁ ଜରୁରୀକାଳୀନ ହ୍ୱାଟ୍ସଆପ୍ ହେଲ୍ପଲାଇନ୍ ନମ୍ବର ୯୯୩୮୯୧୪୧୦୧ ଜାରି କରାଯାଇଛି ।
ମଣିଷ-କୁମ୍ଭୀର ମଧ୍ଯରେ ଚାଲିଥିବା ଲଢେଇ ହ୍ରାସ ଓ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବିପଦସଙ୍କୁଳ ଗ୍ରାମଗୁଡ଼ିକରେ ‘ଘରକୁ ଘର ବୁଲି’ ବନ ବିଭାଗ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ବନ୍ୟାଜଳ ବୃଦ୍ଧି ହେତୁ ନଦୀକୂଳିଆ ଅଞ୍ଚଳରୁ କୁମ୍ଭୀରମାନେ ଜନବସତି କିମ୍ବା ଲୋକମାନେ ବ୍ୟବହାର କରୁଥିବା ନଦୀଘାଟ ନିକଟକୁ ଚାଲି ଆସିବାର ନଜିର ରହିଛି। ତେଣୁ ଜନସାଧାରଣଙ୍କ ସୁରକ୍ଷା ପାଇଁ ବନ ବିଭାଗର କ୍ଷେତ୍ର କର୍ମଚାରୀମାନେ ବନ୍ୟାପ୍ରବଣ ଗ୍ରାମଗୁଡ଼ିକ ପରିଦର୍ଶନ କରି କୁମ୍ଭୀର ସହ ସମ୍ଭାବ୍ୟ ମୁକାବିଲା ଏବଂ ଏଥିରୁ ରକ୍ଷା ପାଇବାକୁ ସତର୍କତାମୂଳକ ପଦକ୍ଷେପ ବିଷୟରେ ଲୋକଙ୍କୁ ସଚେତନ କରାଯାଉଛି।
ଅତି ଆବଶ୍ୟକ ନଥିଲେ ନଦୀ, କେନାଲ କିମ୍ବା ନାଳ ମଧ୍ୟକୁ ପ୍ରବେଶ ନ କରିବା, ପାଣି ସଂଗ୍ରହ, ମାଛ ଧରିବା କିମ୍ବା ଗାଧୋଇବା ସମୟରେ ବିଶେଷ ସତର୍କ ରହିବା, ପିଲାଙ୍କୁ ବୟସ୍କଙ୍କ ତତ୍ତ୍ୱାବଧାନ ବିନା ଜଳାଶୟ ନିକଟକୁ ନ ଛାଡ଼ିବା, କୁମ୍ଭୀର ପ୍ରବଣ ଅଞ୍ଚଳରେ ଗୃହପାଳିତ ପଶୁଙ୍କୁ ଚରାଇବା କିମ୍ବା ପାଣି ପିଆଇବା ସମୟରେ ସତର୍କ ରହିବାକୁ ଅନୁରୋଧ କରାଯାଇଛି।
ବନ କର୍ମଚାରୀ ଓ ସ୍ଥାନୀୟ ଗ୍ରାମବାସୀଙ୍କ ସକ୍ରିୟ ଅଂଶଗ୍ରହଣରେ ଏହି ଅଭିଯାନ ଚାଲିଛି ଯାହାଦ୍ବାରା ମଣିଷ ଓ କୁମ୍ଭୀରଙ୍କ ମଧ୍ୟରେ ସୁରକ୍ଷିତ ସହାବସ୍ଥାନ ହୋଇପାରିବ ବୋଲି ପିସିସିଏଫ୍ ଙ୍କ ପକ୍ଷରୁ କୁହାଯାଇଛି।