ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ୍ ହେଉଛି । ଜଗନ୍ନାଥ ଟେମ୍ପୁଲ୍ ସ୍କ୍ୱାଡ୍ ନାଁରେ ଏକ ନିଯୁକ୍ତିପତ୍ର ଭାଇରାଲ୍ ହେଉଛି । ଯେଉଁଥିରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଷ୍ଟାମ୍ପ୍ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦସ୍ତଖତ ରହିଛି । ଗୃହ ବିଭାଗ ଅଧୀନରେ ଟେମ୍ପୁଲ ସ୍କ୍ୱାଡ୍ ନିଯୁକ୍ତି ପାଇଁ ସେଥିରେ ଉଲ୍ଲେଖ ଥିବା ଜଣାପଡ଼ିଛି ।
ନିଯୁକ୍ତି ପତ୍ରରେ ସ୍ୱସ୍ତି ପ୍ରିତମ ପାଇକରାୟଙ୍କ ନାମ ଉଲ୍ଲେଖ ରହିଛି । ତାଙ୍କ ଘର ପୁରୀ ଜିଲ୍ଲା ଗଡ଼ମୁଗସିରାର ଜମାରସୁଆଁ ଗ୍ରାମର ବୋଲି ଜଣାପଡ଼ିଛି । ନିଯୁକ୍ତି ପତ୍ର ଜଣଙ୍କ ନାମରେ ରହିଥିବାବେଳେ ଏହା 16 ଜଣଙ୍କୁ ଦିଆଯାଇଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି । ଅନ୍ୟମାନଙ୍କ ମଧ୍ୟରେ ହେଲେ ବିଭୂତି ପ୍ରସାଦ ପରିଡ଼ା, ବିରବର ବେହେରା, ବିଷ୍ଣୁ ପ୍ରସାଦ ପରିଡ଼ା, ବଚନ ଭୋଇ, ବିକ୍ରମ କେଶରୀ ପଣ୍ଡା, ରାମନାରାୟଣ ଖୁଣ୍ଟିଆ, ଅଭିଷେକ ପଠାରୀ, ଗଜେନ୍ଦ୍ର ମଙ୍ଗରାଜ, ବିପ୍ଳବ କୁମାର ଦାଶ, ଅଜୟ କୁମାର ମହାରଥୀ, ଗଜେନ୍ଦ୍ର ସାହୁ ଏବଂ ଅଞ୍ଜଳି ସାହୁ ଅଛନ୍ତି ।
ସେପଟେ ଏହି ନିଯୁକ୍ତି ପତ୍ରକୁ ନକଲି ବୋଲି ସ୍ପଷ୍ଟ କରିଛି ମନ୍ଦିର ପ୍ରଶାସନ ଏବଂ ଓଏସଡି ସୁରକ୍ଷା ଦାୟିତ୍ୱରେ ଥିବା ହେମନ୍ତ କୁମାର ପାଢ଼ୀ । ଏ ନେଇ ଯାଞ୍ଚ କରାଯିବ ବୋଲି ଓଏସଡି କହିଛନ୍ତି ।