କେନ୍ଦ୍ରାପଡ଼ା: ହୋଟେଲକୁ ଖାଇବାକୁ ଡାକି ସାଙ୍ଗକୁ ବିଷ ଦେଇ ମାରିଦେଲେ । ଆଉ ସେହି ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ କରାଯାଉଛି ଚେଷ୍ଟା । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ତରଜଙ୍ଗା ଗାଁରେ ଜଣେ ଯୁବକ ଗାଁର ଅମରଜିତ କରଙ୍କ ମୃତ୍ୟୁ ପରେ ପରିବାର ଲୋକେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।
ଅମରଜିତଙ୍କ ବାପା ଅଭିନ୍ନ କର ଏବଂ ମାଆ ଉଷାରାଣୀଙ୍କ ଅଭିଯୋଗ ଅନୁସାରେ, ଜୁଲାଇ ୨୯ ତାରିଖ ଦିନ ୨ଟାରେ ଅମରଜିତଙ୍କ ସାଙ୍ଗ ମୃତ୍ୟୁଞ୍ଜୟ ଓ ମଣ୍ଟୁ ତାଙ୍କୁ ଫୋନ କରି ଭୋଜି ପାଇଁ ଡାକିଥିଲେ । ସନ୍ଧ୍ୟା ୫ଟାରେ ଅମରଜିତଙ୍କର ଦୁର୍ଘଟଣା ହୋଇଯାଇଥିବା ପରିବାର ଲୋକେ ଖବର ପାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରୁ କଟକ ସ୍ଥାନାନ୍ତର କରାଯାଇଥିଲା। ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଅମର ଜିତଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ଗତକାଲି ଅପରାହ୍ନରେ ଅମରଜିତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି ।
ପୁଅର ମୃତ୍ୟୁ ପରେ ସାଙ୍ଗମାନଙ୍କ ଉପରେ ବାପା ହତ୍ୟା ଅଭିଯୋଗ ଆଣିଛନ୍ତି । ତାଙ୍କ ପୁଅକୁ ବିଷ ଦିଆଯିବା ପରେ ମାଡ ମରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକେ ଦାବି କରିଛନ୍ତି। ଏହି ଘଟଣାରେ ଡେରାବିଶ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି।
ମୃତ ଅମର ଜିତ ତାଙ୍କ ଏକମାତ୍ର ସନ୍ତାନ ଥିଲେ । କେନ୍ଦ୍ରାପଡ଼ାର ଘରୋଇ କଲେଜରେ ଯୁକ୍ତ ଦୁଇ ଶେଷ କରିବା ପରେ ଯୁକ୍ତ ତିନି ପଢିବା ପାଇଁ ନାମ ଲେଖାଇବାକୁ ପ୍ରସ୍ତୁତ ହେଉଥିଲେ। ଗୋଟିଏ ପୁଅକୁ ହରାଇ ବାପା ମାଆ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି ।