ଭୁବନେଶ୍ୱର: ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଶୃଙ୍ଖଳାକୁ ଅବ୍ୟାହତ ରଖିବା ଏବଂ ସାମଗ୍ରୀର ସହଜ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ବିଭାଗୀୟ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପରାମର୍ଶକ୍ରମେ ଅନୁଷ୍ଠିତ ଏହି ବୈଠକରେ ବିଭାଗର ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଅହେତୁକ ଭାବେ ବୃଦ୍ଧି ନପାଏ, ସେଥିପ୍ରତି ସତର୍କ ରହିବାକୁ ସମସ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କୃତ୍ରିମ ଅଭାବ କିମ୍ବା କଳାବଜାରୀ ରୋକିବା ପାଇଁ ଅଭିଯୋଗ ମିଳିବାକ୍ଷଣି ତୁରନ୍ତ ତନାଘନା ଏବଂ ଚଢ଼ାଉ ଜୋରଦାର କରିବାକୁ ଶ୍ରୀ ସିଂହ ପରାମର୍ଶ ଦେଇଛନ୍ତି।
ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଗତ ଏପ୍ରିଲ, ମଇ ଓ ଜୁନ୍ ମାସର ବାକିଥିବା ଚାଉଳ କୋଟା ବଣ୍ଟନ ନେଇ ସମୀକ୍ଷା ହୋଇଛି। ଜୁଲାଇ ଓ ଅଗଷ୍ଟ ମାସର ଜାତୀୟ ତଥା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଚାଉଳ କୋଟା, ସେହିପରି ଜୁଲାଇରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ କିରାସିନି କୋଟାକୁ ସମୟାନୁସାରେ ଉଠାଇବା ଓ ବଣ୍ଟନ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି।
ନିର୍ଦ୍ଧାରିତ ଚାଉଳ ଏବଂ କିରାସିନି କୋଟା ଯେପରି ଆସନ୍ତା ଅଗଷ୍ଟ ୧୫ ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ଉଠାଣ ଏବଂ ବଣ୍ଟନ କାର୍ଯ୍ୟ ଶେଷ ହେବ, ସେନେଇ ସମସ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।