ଭୁବନେଶ୍ୱର: ଆୟକର ରିଟର୍ଣ୍ଣ (ITR) ଦାଖଲ ସମୟରେ ସାଇବର ଠକମାନେ ସକ୍ରିୟ ହୋଇପଡ଼ିଛନ୍ତି। ଏହାକୁ ନେଇ ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ପକ୍ଷରୁ କରଦାତାଙ୍କ ପାଇଁ ସାଇବର ସତର୍କବାଣୀ ଜାରି କରାଯାଇଛି।
ପୋଲିସ କହିଛି, କିଛି ସାଇବର ଠକ ନିଜକୁ ଆୟକର ବିଭାଗର ଅଧିକାରୀ ବୋଲି ପରିଚୟ ଦେଇ WhatsAppରେ ନକଲି Income Tax Notice, ଭୁଆ ଲିଙ୍କ ଏବଂ କ୍ଷତିକାରକ ଫାଇଲ ପଠାଉଛନ୍ତି। ଏହି ଲିଙ୍କ କିମ୍ବା ଫାଇଲ ଖୋଲିଲେ ମୋବାଇଲ୍ କିମ୍ବା କମ୍ପ୍ୟୁଟରରେ ମାଲୱେର୍ ଇନଷ୍ଟଲ୍ ହୋଇ ବ୍ୟାଙ୍କିଂ ସୂଚନା, ପାସୱାର୍ଡ ଓ ଅନ୍ୟାନ୍ୟ ଗୋପନୀୟ ତଥ୍ୟ ଚୋରି ହୋଇପାରେ।
ବିଶେଷ କରି .zip ଏବଂ .exe ଏକ୍ସଟେନ୍ସନ୍ ଥିବା ଫାଇଲକୁ କୌଣସି ପରିସ୍ଥିତିରେ ଡାଉନଲୋଡ୍ ନ କରିବାକୁ ପୋଲିସ ପରାମର୍ଶ ଦେଇଛି।ଏହାସହ ଆୟକର ଫେରସ୍ତ (Tax Refund) ମିଳିବ ବୋଲି ଲୋଭ ଦେଖାଇବା କିମ୍ବା ଜରିମାନାରୁ ବଞ୍ଚିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କୁହୁଥିବା ମେସେଜ୍କୁ ବିଶ୍ୱାସ ନ କରିବାକୁ କୁହାଯାଇଛି।
ପୋଲିସ ସ୍ପଷ୍ଟ କରିଛି ଯେ, ବ୍ୟାଙ୍କ ଖାତା ସୂଚନା, ପାସୱାର୍ଡ, OTP କିମ୍ବା ବ୍ୟକ୍ତିଗତ ତଥ୍ୟ କେବେ ବି WhatsApp, SMS, ଇ-ମେଲ୍ କିମ୍ବା ସନ୍ଦେହଜନକ ୱେବସାଇଟ୍ରେ ସେୟାର କରନ୍ତୁ ନାହିଁ।
କୌଣସି Income Tax Notice ମିଳିଲେ ପ୍ରଥମେ ଏହାର ସତ୍ୟତା କେବଳ ସରକାରୀ ମାଧ୍ୟମରେ ଯାଞ୍ଚ କରନ୍ତୁ। ସନ୍ଦେହଜନକ WhatsApp ମେସେଜ୍ କିମ୍ବା ସାଇବର ଠକେଇ ଘଟଣା ଦେଖିଲେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ କମିଶନରେଟ ପୋଲିସ ଅପିଲ୍ କରିଛି।