ଯାଜପୁର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯାଜପୁର ଜିଲ୍ଲାରେ ବନ୍ୟା ସମୀକ୍ଷା କରିଛନ୍ତି । ପ୍ରଭାବିତ ଅଞ୍ଚଳ ଗସ୍ତ କରି ପୀଡ଼ିତଙ୍କୁ ଭେଟିଛନ୍ତି । ସେମାନଙ୍କ ସମସ୍ୟା ଶୁଣି ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଉପମୁଖ୍ୟମନ୍ତ୍ରୀ ପ୍ରଥମେ ବଡ଼ଚଣା ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ସେ ଦଶରଥପୁର ବ୍ଲକର ଡୋଭାବିଲ ପାଟଣାରେ ପହଞ୍ଚିଥିଲେ। ସେଠାରେ ବୈତରଣୀର ଶାଖା କାଣୀ ନଦୀର ଘାଇ ମୁହଁ ପରିଦର୍ଶନ କରି ମରାମତି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅଧିକାରୀଙ୍କଠାରୁ ତଥ୍ୟ ନେଇଥିଲେ। ପରେ ବନ୍ୟା ବିପନ୍ନଙ୍କୁ ଭେଟି ସେମାନଙ୍କ ଦୁର୍ଦ୍ଦଶା ଓ ସମସ୍ୟା ବୁଝିଥିଲେ। ରିଲିଫ, ପୁନରୁଦ୍ଧାର ଓ କ୍ଷତିଗ୍ରସ୍ତଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇବା ପାଇଁ ପ୍ରଶାସନକୁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ପରେ ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକରେ ଯୋଗ ଦେଇ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ସହିତ ବଡ଼ଚଣା ବିଧାୟକ ଅମର ନାୟକ, ଜିଲ୍ଲା ସଭାପତି ଦେବଯାନୀ ପ୍ରଧାନ, ଯାଜପୁର ବିଜେଡି ବିଧାୟିକା ସୁଜାତା ସାହୁ, ଜିଲ୍ଲାପାଳ ଅମ୍ବର କୁମାର କର ଓ ଜିଲ୍ଲାର ଅନେକ ପଦାଧିକାରୀ ମନେ ଉପସ୍ଥିତ ରହିଥିଲେ ।