ଭୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସୃଷ୍ଟି ହୋଇଥିବା ବିବାଦ ଆହୁରି ଘନେଇଛି । ପ୍ରଥମେ ଛାତ୍ରଙ୍କ ଆନ୍ଦୋଳନ ପରେ ଏବେ ହଷ୍ଟେଲ ୱାର୍ଡେନଙ୍କ ଆନ୍ଦୋଳନ ଆରମ୍ଭ ହୋଇଛି । ଆଜି ହଷ୍ଟେଲ୍ ୱାର୍ଡେନମାନେ ବିଶ୍ୱବିଦ୍ୟାଳୟ ପରିସରରେ ପଦଯାତ୍ରା କରିଛନ୍ତି । ଆଉ ୱାର୍ଡେନଙ୍କୁ ସମର୍ଥନ କରିଛି ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ।
ଆଜି ୱାର୍ଡେନ ଓ ବିଶ୍ୱବିଦ୍ୟାଳୟର ଶିକ୍ଷକ ସଂଘର ସଦସ୍ୟମାନେ ପ୍ରତିବାଦ କରିଛନ୍ତି । କ୍ୟାମ୍ପସରେ ଏକ ବିଶାଳ ଶୋଭା ଯାତ୍ରା କରିଛନ୍ତି । ବିଶ୍ୱବିଦ୍ୟାଳୟ ଭିତରେ ରାଜନୈତିକ ହସ୍ତକ୍ଷେପକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଶିକ୍ଷକମାନେ କହିଛନ୍ତି । ଆଲୋଚନା ମାଧ୍ୟମରେ ଛାତ୍ରମାନେ ବୁଝିସାରିଥିବାବେଳେ ସ୍ଥାନୀୟ ବିଧାୟକ ଆସି ସେମାନଙ୍କୁ ଉସକାଇବା ଏବଂ ଚିଫ୍ ୱାର୍ଡେନଙ୍କୁ ଅଶୋଭନୀୟ ବ୍ୟବହାର କରିବା ସମ୍ପୂର୍ଣ୍ଣ ଅନୁଚିତ ବୋଲି କହିଛନ୍ତି ।
ବନ୍ଧୁତ୍ୱ ଦିବସ ପାଳନକୁ ନେଇ ରେଭେନ୍ସା ଇଷ୍ଟ ହଷ୍ଟେଲରେ ଛାତ୍ର ଏବଂ ଡେପୁଟି ୱାର୍ଡେନଙ୍କ ମଧ୍ୟରେ ବିବାଦ ଏବେ ଭିନ୍ନ ରୂପ ନେଇଛି । ଗତ ରବିବାର ସକାଳୁ ଛାତ୍ରଙ୍କ ରୁମରେ ତାଲା ପକାଇବାକୁ ନେଇ ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଛାତ୍ରମାନେ ଆମରଣ ଅନଶନ ଆରମ୍ଭ କରିଥିଲେ । ଏହା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବାରମ୍ବାର ଛାତ୍ରମାନଙ୍କ ସହିତ ଆଲୋଚନା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ କଟକ ସଦର ବିଧାୟକ ପ୍ରକାଶ ସେଠୀ ବିଶ୍ୱବିଦ୍ୟାଳୟକୁ ଯାଇ ଛାତ୍ରମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ସମୟରେ ଚିଫ୍ ଓ୍ୱାର୍ଡେନ ଏବଂ କିଛି ଅଧ୍ୟାପକଙ୍କ ଉଦ୍ଦେଶ୍ୟରେ ବିଧାୟକ କିଛି ବିବାଦୀୟ ମନ୍ତବ୍ୟ ଦେଇଥିବାର ଅଭିଯୋଗ ହୋଇଥିଲା । ଏହା ପରେ ସମସ୍ତ ୱାର୍ଡେନ ଗତକାଲି ଇସ୍ତଫା ଦେଇଥିଲେ ।