ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ନୂଆ ନିର୍ଦ୍ଦେଶ ଜାରି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏଣିକି କୌଣସି ସ୍କୁଲ କାର୍ଯ୍ୟକ୍ରମ କିମ୍ବା ସରକାରୀ ଉତ୍ସବରେ 'ବନ୍ଦେ ମାତରମ୍' ଓ 'ଜନ ଗଣ ମନ' ଉଭୟ ଗାନ ପରିବେଷଣ ହେଲେ ପ୍ରଥମେ 'ବନ୍ଦେ ମାତରମ୍' ଏବଂ ପରେ 'ଜନ ଗଣ ମନ' ଗାଇବା ବାଧ୍ୟତାମୂଳକ ହେବ।
ଜୁଲାଇ ୩୦ରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ନିତ୍ୟାନନ୍ଦ ସିଂହ ଏହି ନିର୍ଦ୍ଦେଶ ଜାରି କରିଥିଲେ। ପରେ ଏହାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ସମସ୍ତ ହାଇସ୍କୁଲର ମୁଖ୍ୟଶିକ୍ଷକଙ୍କୁ ପଠାଯାଇଛି।
କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶକୁ ଆଧାର କରି ଏହି ପଦକ୍ଷେପ ନିଆଯାଇଛି। ଏଥିରେ ସ୍ପଷ୍ଟ କରାଯାଇଛି ଯେ, ଉଭୟ ଗୀତ ପରିବେଷଣ ସମୟରେ କ୍ରମ ପରିବର୍ତ୍ତନ କରାଯିବ ନାହିଁ। ଯଦି ରାଜ୍ୟ ସଙ୍ଗୀତ ମଧ୍ୟ ପରିବେଷଣ କରାଯାଏ, ତେବେ ମଧ୍ୟ 'ବନ୍ଦେ ମାତରମ୍' ପ୍ରଥମେ ଓ 'ଜନ ଗଣ ମନ' ପରେ ଗାଇବାକୁ ପଡ଼ିବ।
ବିଭାଗ ପକ୍ଷରୁ ଗୀତର ଶବ୍ଦ, ଉଚ୍ଚାରଣ ଓ ସୁରରେ କୌଣସି ତ୍ରୁଟି ନ ରହିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଅଧିକୃତ ୱେବସାଇଟ୍ରେ ଥିବା ଅଡିଓ ଓ ସଠିକ୍ ଗୀତ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।
ଏହାସହ ପ୍ରତିଦିନ ସ୍କୁଲ ପ୍ରାର୍ଥନା ସଭାରେ ସାମୂହିକ ଭାବେ ଜାତୀୟ ସଙ୍ଗୀତ ଗାଇବାକୁ ଉତ୍ସାହିତ କରାଯାଇଛି। ଜାତୀୟ ସଙ୍ଗୀତ ପରିବେଷଣ ସମୟରେ ସମସ୍ତଙ୍କୁ ସାବଧାନ ମୁଦ୍ରାରେ ଠିଆ ହେବାକୁ ପଡ଼ିବ। କେବଳ ନ୍ୟୁଜରିଲ୍ କିମ୍ବା ପ୍ରାମାଣିକ ଚଳଚ୍ଚିତ୍ରର ଅଂଶ ଭାବେ ପରିବେଷଣ ହେଲେ ଏଥିରେ ବ୍ୟତିକ୍ରମ ରହିବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ସମସ୍ତ ଶିକ୍ଷାନୁଷ୍ଠାନକୁ ଏହି ନିର୍ଦ୍ଦେଶର କଡ଼ାକଡ଼ି ପାଳନ କରିବାକୁ କହିଛି। ନୂଆ ଶିକ୍ଷାବର୍ଷରୁ ଏହି ନିୟମକୁ କଡ଼ାକଡ଼ି ଲାଗୁ କରିବା ପାଇଁ ଶିକ୍ଷା ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।