କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ଏବେ ଆଉ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। କଟକ ସଦର ବିଧାୟକ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟ ସିନେଟ୍ ସଦସ୍ୟ ପ୍ରକାଶ ଚନ୍ଦ୍ର ସେଠୀ ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗ ମୁଖ୍ୟ ଓ ମୁଖ୍ୟ ୱାର୍ଡେନ୍ ଡ. ସୁଦର୍ଶନ ମିଶ୍ରଙ୍କ ବିରୋଧରେ ବାଚସ୍ପତି ସୁରମା ପାଢ଼ୀଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ସୂଚନା ଅନୁସାରେ, ଇଷ୍ଟ ହଷ୍ଟେଲର ଛାତ୍ରମାନେ ଡେପୁଟି ୱାର୍ଡେନଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଆରମ୍ଭ କରିଥିଲେ। ଏହି ସମସ୍ୟାର ସମାଧାନ ପାଇଁ କୁଳପତିଙ୍କ ଉପସ୍ଥିତିରେ ଏକ ବୈଠକ ହୋଇଥିଲା। ସେହି ବୈଠକରେ ସିନେଟ୍ ସଦସ୍ୟ ଓ ସ୍ଥାନୀୟ ବିଧାୟକ ଭାବେ ପ୍ରକାଶ ସେଠୀ ଯୋଗ ଦେଇଥିଲେ।
ବିଧାୟକଙ୍କ ଅଭିଯୋଗ ଅନୁଯାୟୀ, ଆଲୋଚନା ସମୟରେ ସେ ସମାଧାନମୂଳକ ପରାମର୍ଶ ଦେଉଥିବାବେଳେ ଡ. ସୁଦର୍ଶନ ମିଶ୍ର ବାରମ୍ବାର ବାଧା ଦେବା ସହ ଅସମ୍ମାନଜନକ ଓ ଅପମାନଜନକ ବ୍ୟବହାର କରିଥିଲେ। ଜଣେ ବରିଷ୍ଠ ଅଧ୍ୟାପକଙ୍କ ଏଭଳି ଆଚରଣ ଜଣେ ଜନପ୍ରତିନିଧିଙ୍କ ସମ୍ମାନକୁ କ୍ଷୁଣ୍ଣ କରିଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି।
ଏହି ଘଟଣାକୁ 'ଗୁରୁତର ଅସଦାଚରଣ' ବୋଲି ଦର୍ଶାଇ ବିଧାୟକ ବାଚସ୍ପତିଙ୍କୁ ଡ. ମିଶ୍ରଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି।
ଏପଟେ, ଛାତ୍ରଙ୍କ ଆନ୍ଦୋଳନ ଜାରି ରହିଥିବାବେଳେ ଏହି ଘଟଣାକୁ ନେଇ ରେଭେନ୍ସା କ୍ୟାମ୍ପସରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଅଭିଯୋଗ ନେଇ ଡ. ସୁଦର୍ଶନ ମିଶ୍ର କିମ୍ବା ବିଶ୍ୱବିଦ୍ୟାଳୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।