ବାଲେଶ୍ୱର: ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଶିକ୍ଷକ ଓ ଶିକ୍ଷା କର୍ମଚାରୀ । ଆଜି ୪ ଦଫା ଦାବି ନେଇ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ବିଶାଳ ଧାରଣା ଓ ବିକ୍ଷୋଭ କରିଛନ୍ତି ସଂଘର ସଦସ୍ୟମାନେ ।
ଅବସରକାଳୀନ ବୟସସୀମା ୬୦ ବର୍ଷକୁ ବୃଦ୍ଧି, ଗ୍ରେଡ୍ ପେରେ ଥିବା ଅସଙ୍ଗତିକୁ ଦୂରୀକରଣ, ଭଳି ଦାବିରେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସରକାର ଯଦି ଶୀଘ୍ର ଦାବୀ ପୂରଣ ନ କରନ୍ତି, ତେବେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି । ବିଭିନ୍ନ ଦାବୀ ସମ୍ବଳିତ ପ୍ଲାକାର୍ଡ ଧରି ସରକାରଙ୍କ ବିରୋଧରେ ଜୋରଦାର ନାରାବାଜି କରିଥିଲେ ଶତାଧିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ। ଆନ୍ଦୋଳନରତ ଶିକ୍ଷକ କହିଛନ୍ତି ଯେ ବହୁ ବର୍ଷ ଧରି ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଚାରୁ ଭାବେ ପରିଚାଳନା କରୁଥିଲେ ମଧ୍ୟ ସେମାନଙ୍କ ନ୍ୟାୟସଙ୍ଗତ ଦାବୀ ପ୍ରତି ସରକାର ଗୁରୁତ୍ୱ ଦେଉନାହାନ୍ତି । ଦୀର୍ଘ ୮ ବର୍ଷ ଧରି ନ୍ୟାୟସଙ୍ଗତ ଦାବୀ ପୂରଣ ପାଇଁ ସରକାରଙ୍କୁ ଗୁହାରି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ସ୍ମାରକପତ୍ର ପ୍ରଦାନ, ଜିଲ୍ଲା ଓ ରାଜ୍ୟସ୍ତରୀୟ ବିକ୍ଷୋଭ, ବିଧାନସଭା ସମ୍ମୁଖରେ ପ୍ରତିବାଦ ସହ ବିଭିନ୍ନ ଗଣତାନ୍ତ୍ରିକ ପନ୍ଥା ଅବଲମ୍ବନ କରିଥିଲେ ମଧ୍ୟ ଦାବୀ ପୂରଣ ହୋଇନାହିଁ। ଏହା ଫଳରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଛି । ଆନ୍ଦୋଳନକାରୀମାନେ କହିଛନ୍ତି, ସରକାର ଯଦି ଶୀଘ୍ର ସେମାନଙ୍କ ସହ ଆଲୋଚନା କରି ଦାବୀଗୁଡ଼ିକର ସମାଧାନ ନ କରନ୍ତି, ତେବେ ଏହି ଆନ୍ଦୋଳନକୁ ବ୍ଲକ ସ୍ତରରୁ ଜିଲ୍ଲା ଏବଂ ପରେ ରାଜ୍ୟବ୍ୟାପୀ ଭାବେ ଆହୁରି ତୀବ୍ର କରାଯିବ। ଆସନ୍ତା ଅଗଷ୍ଟ ୭ ତାରିଖରେ ଜିଲ୍ଲା କାର୍ଯ୍ୟାଳୟ ଏବଂ ପରେ ୧୬ ତାରିଖରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ । ଆବଶ୍ୟକ ପଡ଼ିଲେ ବୃହତ୍ତର ଗଣଆନ୍ଦୋଳନ ପାଇଁ ମଧ୍ୟ ସେମାନେ ପଛାଇବେ ନାହିଁ ବୋଲି ସ୍ପଷ୍ଟ ଚେତାବନୀ ଦେଇଛନ୍ତି ।