ନୂଆଦିଲ୍ଲୀ: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେଲ୍ଫି ଭିଡ଼ିଓକୁ ସାମୟିକ ଭାବେ ହଟାଇବା ମାମଲାକୁ କେନ୍ଦ୍ର ସରକାର ଗମ୍ଭୀରତାର ସହିତ ନେଇଛନ୍ତି । ମେଟା କମ୍ପାନୀର ମାଲିକ ମାର୍କ ଜୁକରବର୍ଗରୁ ନିଃସର୍ତ୍ତ କ୍ଷମା ମାଗିବାକୁ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ସଂସଦୀୟ କମିଟି ପକ୍ଷରୁ ୩ ଦିନ ଅବଧି ଦିଆଯାଇଛି । ଏହା ସହିତ କମ୍ପାନୀର ଯେଉଁ ଅଧିକାରୀ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂସଦୀୟ କମିଟି ଚେତାବନୀ ଦେଇଛି ।
ସଂସଦୀୟ କମିଟି ଅଧ୍ୟକ୍ଷ ନିଶିକାନ୍ତ ଦୁବେ ଏ ସଂକ୍ରାନ୍ତରେ ସୂଚନା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ସଚିବ ଏସ. କ୍ରିଷ୍ଣନଙ୍କୁ ଏକ ଚିଠି ଲେଖିଛନ୍ତି । ପ୍ରଧାନମନ୍ତ୍ରୀ ଛାତ୍ରଙ୍କୁ ସମ୍ବୋଧିତ କରୁଥିବା ଭିଡ଼ିକୁ ୫-୬ ଘଣ୍ଟା ପାଇଁ ସାମୟିକ ଭାବେ ଫେସବୁକରୁ ହଟାଇ ଦିଆଯାଇଥିଲା । ଏହି ଘଟଣାକୁ କମିଟି ଗମ୍ଭୀରତାର ସହିତ ନେଇଛି । ଯାହାକି ଗଣତନ୍ତ୍ର ବିରୋଧୀ ଅଟେ । କିଛି ସୋସିଆଲ ମିଡ଼ିଆ ସରକାର ବିରୋଧୀ ଏବଂ ଲୋକତନ୍ତ୍ର ବିରୋଧୀ ପ୍ରସଙ୍ଗକୁ ପ୍ରଶ୍ରୟ ଦେଉଥିବାବେଳେ ମହିଳା ଏବଂ ଶିଶୁଙ୍କ ଜଡ଼ିତ ବେଆଇନ କାର୍ୟ୍ୟାଳାପକୁ ରୋକିବାର ଅସଫଳ ହେଉଛନ୍ତି ।
କମିଟି ସର୍ବସମ୍ମତିକ୍ରମେ ସୁପାରିଶ କରିଛି ଯେ ଯଦି ଇଣ୍ଟରନେଟ୍ ମିଡିଆ କମ୍ପାନୀଗୁଡ଼ିକ ଭାରତୀୟ ଆଇନ ପାଳନ କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ ମିଳୁଥିବା 'ନିରାପଦ ଆଶ୍ରୟସ୍ଥଳ' ବା ସେଫ୍ ହାର୍ବର୍ ସୁରକ୍ଷା ପ୍ରତ୍ୟାହାର କରିନିଆଯିବ ବୋଲି କମିଟି ଚେତାବନୀ ଦେଇଛି ।