ଭୁବନେଶ୍ୱର: ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଅଭିଯୁକ୍ତ ମନୋଜ ପାଢୀଙ୍କୁ ମନୋଜ ପାଢୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ କଟକ ଏସସି/ ଏସଟି କୋର୍ଟ ।
ସୂଚନାଥାଉକି କିଛିଦିନ ତଳେ ପ୍ରଥମରୁ ଅଷ୍ଟମ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଏହା ପୂର୍ବରୁ ମନୋଜଙ୍କୁ ଘନଘନ ଜେରା କରାଯାଇଥିଲା । ଦୀର୍ଘ ଘଣ୍ଟା ଧରି ଜେରା କରାଯିବା ପରେ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ମନୋଜ ପାଢୀ ବହି ଗୁଡିକର ତଥ୍ୟଗତ ବୈଜ୍ଞାନିକ , ଭୌଗୋଳିକ ଏବଂ ଚିତ୍ର ସମ୍ପର୍କିତ ତ୍ରୁଟିଗୁଡିକୁ ସଠିକ ଭାବରେ ଯାଞ୍ଚ ନକରି ଜାଣି ଶୁଣି ପ୍ରିଣ୍ଟିଂ ପାଇଁ ଅନୁମୋଦନ ଦେଇଥିବା ଅଭିଯୋଗ ହୋଇଥିଲା । ମାମଲାରେ ପୂର୍ବରୁ ସରକାର ମନୋଜ ପାଢୀଙ୍କ ସମେତ ତିନି ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରିଥିଲେ । ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା ।
ଅନ୍ୟପଟେ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମଙ୍ଗଳବାର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ସମ୍ପୂର୍ଣ୍ଣ ପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟାରେ ଜଣେ କିମ୍ବା ଦୁଇଜଣ ନୁହନ୍ତି, ୨୪୦ ଜଣ ସାମିଲ ରହିଛନ୍ତି। ସେମାନଙ୍କ ତାଲିକା ପ୍ରସ୍ତୁତ ହୋଇଛି। ପୁସ୍ତକ ପ୍ରସ୍ତୁତିଠାରୁ ଆରମ୍ଭ କରି ଡିଟିପି ଓ ଡିଜାଇନ୍, ଛପାଯିବା, ପ୍ରକାଶନ, ବଣ୍ଟନ ପରି ବହୁତ ବଡ଼ ପ୍ରକ୍ରିୟା ହୋଇଥିବାରୁ ତାହାର ଯାଞ୍ଚ କରିବାକୁ ସମୟ ଲାଗୁଛି। ବିଭିନ୍ନ ଦାୟିତ୍ବରେ ଥିବା ବ୍ୟକ୍ତିବିଶେଷଙ୍କର କେଉଁଭଳି ଭୂମିକା ରହିଥିଲା ତାହାର ମଧ୍ୟ ଅନୁଧ୍ୟାନ ଚାଲିଛି। କ୍ରାଇମବ୍ରାଞ୍ଚର ଏକାଧିକ ଟିମ୍ ଗୋଟିଏ ଗୋଟିଏ ପ୍ରକ୍ରିୟାକୁ ଅନୁଧ୍ୟାନ କରୁଛନ୍ତି ବୋଲି ଡିଜି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।