ଭୁବନେଶ୍ୱର: ବୌଦ୍ଧିକ ଦିବ୍ୟାଙ୍ଗ ଶିଶୁଙ୍କ ଶିକ୍ଷା ଓ ସାମଗ୍ରିକ ବିକାଶକୁ ଆହୁରି ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଶେଷ ବିଦ୍ୟାଳୟରେ 'DISHA Curriculum' କୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ସାମାଜିକ ସୁରକ୍ଷା ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ (SSEPD) ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ନୂଆ ନିର୍ଦ୍ଦେଶ ଅନୁସାରେ, ପ୍ରତ୍ୟେକ ବିଦ୍ୟାଳୟକୁ DISHA Portal, Individualised Education Programme (IEP) ଏବଂ Individualised Therapy Programme (ITP) ଅନୁସରଣ କରିବାକୁ ହେବ। ଛାତ୍ରଛାତ୍ରୀଙ୍କ ଶିକ୍ଷା, ଥେରାପି ଓ ଦକ୍ଷତା ବିକାଶର ନିୟମିତ ମୂଲ୍ୟାଙ୍କନ ମଧ୍ୟ ଏହି ପୋର୍ଟାଲ ମାଧ୍ୟମରେ କରାଯିବ।
ମୁମ୍ବାଇର ଜୟ ବାକେଲ ଫାଉଣ୍ଡେସନ୍ ଦ୍ୱାରା ପ୍ରସ୍ତୁତ ଏହି ପାଠ୍ୟକ୍ରମକୁ ଜାତୀୟ ବୌଦ୍ଧିକ ଦିବ୍ୟାଙ୍ଗ ସଶକ୍ତିକରଣ ପ୍ରତିଷ୍ଠାନ (NIEPID) ସ୍ୱୀକୃତି ଦେଇଛି। ୨୦୧୯ ମସିହାରୁ ଓଡ଼ିଶାର କିଛି ବିଶେଷ ବିଦ୍ୟାଳୟରେ ଏହା ପରୀକ୍ଷାମୂଳକ ଭାବେ ଲାଗୁ ହୋଇଆସୁଥିଲା।
ପ୍ରତ୍ୟେକ ଶିକ୍ଷାବର୍ଷ ଆରମ୍ଭରେ ବିଦ୍ୟାଳୟ, ଶିକ୍ଷକ, ଥେରାପିଷ୍ଟ ଓ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ପୋର୍ଟାଲରେ କରିବା ବାଧ୍ୟତାମୂଳକ ହେବ। ପ୍ରଥମେ ପ୍ରତ୍ୟେକ ଶିଶୁଙ୍କ ବେସଲାଇନ୍ ଆକଳନ କରାଯିବ। ପରେ ଅଭିଭାବକ, ଶିକ୍ଷକ ଓ ଥେରାପିଷ୍ଟଙ୍କ ପରାମର୍ଶରେ ବ୍ୟକ୍ତିଗତ ଶିକ୍ଷା ଓ ଥେରାପି ଯୋଜନା ପ୍ରସ୍ତୁତ କରାଯିବ। ଏଥିରେ ଯୋଗାଯୋଗ କୌଶଳ, ଦୈନନ୍ଦିନ ଜୀବନ, ଚଳପ୍ରଚଳ, ସାମାଜିକ ବ୍ୟବହାର, ସ୍ପିଚ୍ ଥେରାପି, ଅକ୍ୟୁପେସନାଲ୍ ଥେରାପି ଓ ଫିଜିଓଥେରାପିକୁ ଗୁରୁତ୍ୱ ଦିଆଯିବ।
ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ମାନେ ଏହାର ତଦାରଖ କରିବେ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO) ନୋଡାଲ ଅଫିସର ଭାବେ ସମନ୍ୱୟ ଦାୟିତ୍ୱ ନେବେ। ବର୍ଷ ମଝିରେ ଓ ବାର୍ଷିକ ମୂଲ୍ୟାଙ୍କନ ପରେ ଅଭିଭାବକ-ଶିକ୍ଷକ ବୈଠକରେ ପ୍ରଗତି ରିପୋର୍ଟ ଉପସ୍ଥାପନ କରାଯିବ। ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି, ଏହି ନିର୍ଦ୍ଦେଶ ପାଳନ ନକଲେ ସମ୍ପୃକ୍ତ ବିଦ୍ୟାଳୟ ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ସହ ସରକାରୀ ଅନୁଦାନ ବନ୍ଦ ହୋଇପାରେ।