ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ଅନର୍ କିଲିଂ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଅବିବାହିତା ଗର୍ଭବତୀ ଝିଅକୁ ଜନ୍ମକଲା ବାପା ଅତି ନିର୍ମମଭାବେ ହତ୍ୟା କରିଛି । ଆଉ ପରେ ଝିଅର ଶବକୁ ଦେଖି ପାଦ ଛୁଇଁ କଲା ପ୍ରଣାମ ।
ଦକ୍ଷିଣ ଦିଲ୍ଲୀର ତିଗଡ଼ୀ ଅଞ୍ଚଳରେ ରହୁଥିବା ଲଖପତଙ୍କ ଝିଅ ନିଖୋଜ ଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଝିଅକୁ ଖୋଜିବାକୁ ତଦନ୍ତ ଆରମ୍ଭ କରିଥିଲା । ପରିବାର ସଦସ୍ୟଙ୍କୁ ମଧ୍ୟ ଝିଅ ବାବଦରେ ପଚରାଯାଇଥିଲା । ଏହି ସମୟରେ ଲଖପତ ନିଜେ ଝିଅକୁ ପାଣିରେ ବୁଡ଼ାଇ ହତ୍ୟା କରିଥିବା ସ୍ୱୀକାର କରିଛି ।
ଉତ୍ତର ପ୍ରଦେଶ ବସୌନୀ ଥାନା ଅଞ୍ଚଳର ଲଖପତଙ୍କ ପରିବାର ଦିଲ୍ଲୀର ତିଗଡ଼ୀରେ ରହୁଥିଲେ । ୧୮ ବର୍ଷିଆ ଝିଅ ଗର୍ଭବତୀ ଥିଲେ । ଚାରି ଦିନ ପୂର୍ବରୁ ପରିବାର ଲୋକେ ଝିଅ ନିଖୋଜ ଥିବା ତିଗଡ଼ୀ ଥାନାରେ ଅଭିଯୋଗ କରିଥିଲେ । ପରିବାର ଲୋକେ ପୁଲିସକୁ କହିଥିଲେ ଔଷଧ କିଣିବାକୁ କହି ଝିଅକୁ ଲଖପତ ନିଜେ ତାଙ୍କ ଗାଁ ବସୌନୀକୁ ଯାଇଥିଲେ । ଏହା ପରେ ଚମ୍ବଲ ନଦୀରେ ବୁଡ଼ାଇ ଝିଅକୁ ହତ୍ୟା କରିଥିଲେ । ଆଉ ଏଥିରେ ତାଙ୍କୁ ତାଙ୍କର ଜଣେ ଜ୍ୱାଇଁ ମଧ୍ୟ ସହଯୋଗ କରିଥିଲେ ।
ଘଟଣା ଜଣାପଡ଼ିବା ପରେ ଦିଲ୍ଲୀ ପୁଲିସ ଯୁବତୀଙ୍କ ମୃତ ଦେହକୁ ଚମ୍ବଲ ନଦୀକୁ ଉଦ୍ଧାର କରିବାକୁ ପହଁଚିଥିଲା । କିନ୍ତୁ ମୌସୁମୀ ବର୍ଷା କାରଣରୁ ନଦୀରେ ପାଣି ଭର୍ତ୍ତି ରହିଛି । ଏହା ସେଠାକୁ ଯିବାକୁ ମଧ୍ୟ ଉଦ୍ଧାରକାରୀ ଦଳକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ପରେ ମୃତ ଦେହକୁ ଉଦ୍ଧାର କରାଯାଇଛି । ସେପଟେ ଉଭୟ ବାପା ଏବଂ ଭିଣୋଇକୁ ପୁଲିସ ଦିଲ୍ଲୀକୁ ଆଣିଛି ।
ଆଗ୍ରାରେ ଗତ ୨୪ ଘଣ୍ଟାରେ ଏଭଳି ଦୁଇଟି ଅନର୍ କିଲିଂ ମାମଲା ସାମ୍ନାକୁ ଆସିଛି । ପ୍ରତାପ ନଗରରେ ଜଣେ ଯୁବତୀ ଆଇଟିବିପି ଯବାନଙ୍କୁ ପ୍ରେମ ବିବାହ କରିବାରୁ ତାଙ୍କୁ ହତ୍ୟା କରାଯାଇଛି ।