କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଏବଂ ନୃଶଂସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ମଦନପୁର ରାମପୁର ବ୍ଲକ୍ ଅନ୍ତର୍ଗତ ଡମକରଲା ଖୁଣ୍ଟା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବରିଷ୍ଠ ବିଜେପି ନେତା ଫକୀର ରଣାଙ୍କୁ ସଂଘବଦ୍ଧ ଭାବେ ଛୁରାମାଡ଼ କରାଯାଇଛି। ଆକ୍ରମଣ ପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ମୃତ ଫକୀର ରଣା ହେଉଛନ୍ତି ସ୍ଥାନୀୟ ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ।
ସୂଚନା ଅନୁସାରେ, ଫକୀର ରଣା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ସମୟରେ ଅଚାନକ୍ କିଛି ଦୁର୍ବୃତ୍ତ ତାଙ୍କୁ ଘେରିଯାଇ ଧାରୁଆ ଛୁରୀରେ ବାରମ୍ବାର ଆକ୍ରମଣ କରିଥିଲେ। ଆକ୍ରମଣ ଏତେ ଭୟାନକ ଥିଲା ଯେ ଫକୀରଙ୍କୁ ସମ୍ଭାଳିବାର ସୁଯୋଗ ମିଳିନଥିଲା। ଘଟଣାସ୍ଥଳରେ ପ୍ରଚୁର ରକ୍ତସ୍ରାବ ଯୋଗୁଁ ତାଙ୍କର ଜୀବନ ଚାଲିଯାଇଥିଲା। ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ।
ତଦନ୍ତରେ ପୋଲିସ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
ଘଟଣାର ଖବର ପାଇ ମଦନପୁର-ରାମପୁର ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ କ’ଣ ଏବଂ ଏହା ପଛରେ ରାଜନୈତିକ ଶତ୍ରୁତା ରହିଛି ନା ବ୍ୟକ୍ତିଗତ ବିବାଦ, ସେ ନେଇ ପୋଲିସ ସ୍ପଷ୍ଟ କରିନାହିଁ। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
Also Read: ମଧ୍ୟାହ୍ନ ଭୋଜନ ଖାଇ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ , କାରଣ ଅସ୍ପଷ୍ଟ