ଢେଙ୍କାନାଳ : ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଘଟଣାଟି ଢେଙ୍କାନାଳ ଜିଲ୍ଲା ଭୁବନ ଉଚ୍ଚ ବିଦ୍ୟାଳୟରେ ଘଟିଛି । ମୃତ ଛାତ୍ରଙ୍କ ନାମ ଙ୍ଗରାଜ ସାଥୁଆ ମହାପାତ୍ର। ଏବେ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ସୂଚନା ଅନୁଯାୟୀ ସବୁଦିନ ଭଳି ବୁଧବାର ମଙ୍ଗରାଜ ବିଦ୍ୟାଳୟକୁ ଆସିଥିଲେ। ଶ୍ରେଣୀ ଗୃହରେ ମଧ୍ଯ ସେ ଠିକ୍ଠାକ୍ ଥିଲେ। ମଧ୍ୟାହ୍ନ ଭୋଜନ ସମୟରେ ସେ ଅନ୍ୟ ଛାତ୍ରଛାତ୍ରୀଙ୍କ ସହିତ ବସି ଖାଦ୍ୟ ଖାଇଥିଲେ। କିନ୍ତୁ ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସେ ଥରିବା ସହିତ ବାନ୍ତି କରିଥିଲେ। ସ୍କୁଲର ଦୁଇ ଜଣ ଶିକ୍ଷକ ସଙ୍ଗେ ସଙ୍ଗେ ମଙ୍ଗରାଜଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଲା, ତାହା ସଠିକ୍ ଭାବେ ଜଣାପଡ଼ିନାହିଁ। ଖବର ପାଇ ଭୁବନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡାକ୍ତରଖାନାରେ ପହଞ୍ଚିଥିଲେ। ସେ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। କେଉଁ ପରିସ୍ଥିତିରେ ଛାତ୍ରଙ୍କର ମୃତ୍ୟୁ ହେଲା ସେ ନେଇ ବିଇଓ ତଦନ୍ତ କରୁଥିବା ଜଣାପଡ଼ିଛି।