ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୧୫ରେ ପାଳନ ହେବାକୁ ଥିବା ଭାରତର ୮୦ତମ ସ୍ୱାଧୀନତା ଦିବସ ପାଇଁ ଓଡ଼ିଶା ସରକାର ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ରାଜ୍ୟସ୍ତରୀୟ ଉତ୍ସବ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ଆୟୋଜିତ ହେବ। ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବେ।
ଏହି ଅବସରକୁ ସୁଚାରୁ ଭାବେ ଆୟୋଜନ କରିବା ପାଇଁ ବୁଧବାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସୂଚନା ଓ ଲୋକସମ୍ପର୍କ ବିଭାଗ ଆୟୋଜିତ ଏହି ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତୁତି ଓ ସମନ୍ୱୟ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ବୈଠକରେ ହେମନ୍ତ ଶର୍ମା କହିଥିଲେ, ସ୍ୱାଧୀନତା ଦିବସ ଦେଶର ଗୌରବ ଓ ଜାତୀୟ ଏକତାର ପ୍ରତୀକ। ତେଣୁ କାର୍ଯ୍ୟକ୍ରମର ପ୍ରତ୍ୟେକ ବ୍ୟବସ୍ଥା ସୁନିଶ୍ଚିତ ଓ ତ୍ରୁଟିମୁକ୍ତ ଭାବେ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟସ୍ତରୀୟ ସମାରୋହ ପାଇଁ ପରେଡ୍ ପଡ଼ିଆ ଓ ପତାକା ଉତ୍ତୋଳନ ସ୍ଥଳର ସାଜସଜ୍ଜା, ସକାଳେ ରାମଧୁନ୍ ପ୍ରସାରଣ, କାର୍ଯ୍ୟକ୍ରମର ସିଧା ପ୍ରସାରଣ, ଗଣମାଧ୍ୟମ ସମନ୍ୱୟ, ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ଫଟୋ ପ୍ରଦର୍ଶନ ଏବଂ ଅତିଥିଙ୍କ ବସିବା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଲୋକସେବା ଭବନରୁ ମହାତ୍ମା ଗାନ୍ଧୀ ମାର୍ଗ ପର୍ଯ୍ୟନ୍ତ ରାସ୍ତାକୁ ଆକର୍ଷଣୀୟ ଭାବେ ସଜାଯିବ। ଏହି ଅବସରରେ ଚଳିତ ବର୍ଷର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କଣ୍ଟିଜେଣ୍ଟ ଓ ଟ୍ୟାବ୍ଲୋକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିବେ।
ସମାରୋହ ସମୟରେ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ପରିମଳ ଓ ପାନୀୟ ଜଳ ବ୍ୟବସ୍ଥା କରାଯିବ। ସେହିପରି କମିଶନରେଟ୍ ପୋଲିସ ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନାର ଦାୟିତ୍ୱ ନେବ। ଏହାଛଡ଼ା ରାଜ୍ୟର ପ୍ରମୁଖ ସରକାରୀ କାର୍ଯ୍ୟାଳୟ, ସାର୍ବଜନୀନ ଉଦ୍ୟୋଗ ଓ ଗୁରୁତ୍ୱପୂର୍ଣ୍ଣ କୋଠାଗୁଡ଼ିକୁ ଆଲୋକମାଳାରେ ସଜାଯିବ, ଯାହା ସ୍ୱାଧୀନତା ଦିବସର ଉତ୍ସବକୁ ଆହୁରି ଆକର୍ଷଣୀୟ କରିବ।