ଅନୁଗୁଳ ଜିଲ୍ଲା ଦୌରାଜଜ ଏକ ଦୁଷ୍କର୍ମ ମାମଲାରେ ବଡ଼ ରାୟ ଦେଇଛନ୍ତି । ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ମନ୍ଦିର ପୂଜକଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଆସାମୀ ୨୪ ବର୍ଷୀୟ ପୂଜକ ଦୁଃଖନାଶନ ବିଶିଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଏହା ସହିତ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଡିଏଲଏସଏ କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ମୁତାବକ ଦୁଃଖନାଶନ ବିଶି ଓରଫ ଘାସି ବିଶି ହେଉଛନ୍ତି ସୋନପୁର ଜିଲ୍ଲା ସବଳୟା ଥାନା ଅନ୍ତର୍ଗତ କେଲଗାଁ ଗ୍ରାମର ଅଧିବାସୀ। ସେ ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ତିଳେଶ୍ୱର ଠାରେ ରହୁଥିଲେ।
୨୦୨୪ ଅଗଷ୍ଟ ୨୬ ତାରିଖରେ ପୂଜା କରାଇ ଦେବା ବାହାନାରେ ମନ୍ଦିର ପରିସରରେ ଜଣେ ୧୬ ବର୍ଷରୁ କମ୍ ବୟସର ନାବାଳିକା ସହ ଦୁଷ୍କର୍ମ କରିଥିଲେ ପୂଜକ ଦୁଃଖନାଶନ ବିଶି । ଏହାକୁ ନେଇ ମାମଲା ରୁଜୁ କରାଯିବା ସହ ପୂଜକ ଜଣକ ଗିରଫ ହୋଇଥିଲେ ଯାହାର ରାୟ ଦେଇଛନ୍ତି କୋର୍ଟ।