ମୟୂରଭଞ୍ଜ : ପଞ୍ଚାୟତ କାର୍ଯ୍ୟାଳୟରୁ ଲୁଟ୍ କଲେ ଦୁର୍ବୁତ୍ତ । ମନରେଗା ପ୍ରକଳ୍ପର ଫାଇଲ, ଅଫିସିଆଲ ଷ୍ଟାମ୍ପ ସହ ସମସ୍ତ ଅଫିସ ସାମଗ୍ରୀ ଲୁଟିନେଲେ । ଏଭଳି ଖବର ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଧାନଘେରା ପଞ୍ଚାୟତ କାର୍ଯ୍ୟାଳୟରୁ ଆସିଛି ।
ସୂଚନା ଅନୁଯାୟୀ ଆଜି (ବୁଧବାର) ପଞ୍ଚାୟତର ଯୋଗାଣ ସହାୟକ କାର୍ଯ୍ୟାଳୟକୁ ଆସି କାର୍ଯ୍ୟାଳୟର ମୁଖ୍ୟ ଗେଟ ତାଲା ଭଙ୍ଗା ଯାଇଥିବା ଦେଖି ପିଇଓଙ୍କୁ ଫୋନ କରି ଜଣାଇଥିଲେ। ପିଇଓ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଚୋରି ହୋଇଥିବା ନେଇ ଜାଣିବାକୁ ପାଇଥିଲେ । ଦୁର୍ବୃତ୍ତ ଆଲ୍ମିରା ତାଲା ଭାଙ୍ଗି ସମ୍ପୂର୍ଣ୍ଣ ହୋଇଥିବା ମନରେଗା ପ୍ରକଳ୍ପ ଫାଇଲ୍ ଏବଂ ଅନ୍ୟ ଏକ ଆଲ୍ମିରା ଲକର୍ ଭାଙ୍ଗି ସେଥିରେ ଥିବା ଅଫିସିଆଲ୍ ଷ୍ଟାମ୍ପ ଓ ଅଫିସର ଅନ୍ୟାନ୍ୟ ସାମଗ୍ରୀ ଏବଂ ଇନଭାର୍ଟର ବ୍ୟାଟେରୀ ଲୁଟି ନେଇଛନ୍ତି । ମନରେଗାରେ ହୋଇଥିବା କୌଣସି ଦୁର୍ନୀତିକୁ ଲୁଚାଇବା ପାଇଁ ଏହି କାଣ୍ଡ କରାଯାଇଥିବା ଅନୁମାନ କରାଯାଉଛି । ସେପଟେ ଏ ନେଇ ଥାନାରେ ଅଭିଯୋଗ ହେବା ପରେ ଉଦଳା ପୁଲିସ ପହଞ୍ଚି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି ।