କୁଆଲାଲମ୍ପୁରରୁ କୋଚି ଆସୁଥିବା ବାଟିକ୍ ଏୟାରର ଏକ ବିମାନରେ ମଧ୍ୟ ଆକାଶରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଜଣେ ଯାତ୍ରୀ ବିମାନର ଏମର୍ଜେନ୍ସି ଏକ୍ସିଟ୍ ଡୋର୍ ଖୋଲିବାକୁ ଉଦ୍ୟମ କରିବାରୁ କିଛି ସମୟ ପାଇଁ ବିମାନ ଭିତରେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ସହଯାତ୍ରୀ ଓ କ୍ୟାବିନ୍ କ୍ରୁଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି।
ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତଙ୍କ ନାମ ଜାମଶିର ଏବଂ ସେ କେରଳର ପାଲାକ୍କାଡ଼ ଅଞ୍ଚଳର ବାସିନ୍ଦା। ବୁଧବାର ରାତିରେ Batik Air Flight OD231ରେ ଯାତ୍ରା କରୁଥିବା ବେଳେ ସେ ଏମର୍ଜେନ୍ସି ଏକ୍ସିଟ୍ର ଭିତର କାଚ ଭାଙ୍ଗି ଡୋର୍ ଖୋଲିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଏହାସହ ସେ ସହଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ଧମକ ମଧ୍ୟ ଦେଇଥିବା ଏଫ୍ଆଇଆର୍ରେ ଉଲ୍ଲେଖ ରହିଛି।
ଘଟଣା ସମୟରେ ଅଧିକାଂଶ ଯାତ୍ରୀ ଶୋଇଥିଲେ। ହଠାତ୍ ଶବ୍ଦ ଶୁଣି ସମସ୍ତେ ଚମକି ଉଠିଥିଲେ। ପରେ ସହଯାତ୍ରୀ ଓ କ୍ରୁ ସଦସ୍ୟମାନେ ମିଶି ଅଭିଯୁକ୍ତଙ୍କୁ କାବୁ କରିଥିଲେ। ବିମାନର ସୁରକ୍ଷିତ ଡିଜାଇନ୍ ଏବଂ କ୍ୟାବିନ୍ ପ୍ରେସର ଯୋଗୁଁ ଡୋର୍ ଖୋଲିନଥିବାରୁ ବଡ଼ ବିପଦ ଟଳିଯାଇଥିଲା।
ବିମାନଟି ଗୁରୁବାର ସକାଳେ କୋଚି ବିମାନବନ୍ଦରରେ ଅବତରଣ କରିବା ପରେ କେରଳ ପୋଲିସ ଜାମଶିରଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ବିମାନ ସୁରକ୍ଷା ନିୟମ ଉଲ୍ଲଂଘନ, ଲୋକଙ୍କୁ ଧମକ ଦେବା ଓ ଜନସୁରକ୍ଷାକୁ ବିପଦରେ ପକାଇବା ଭଳି ଏକାଧିକ ଧାରାରେ ମାମଲା ରୁଜୁ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
ଏହି ଘଟଣା ଏପରି ସମୟରେ ଘଟିଛି, ଯେତେବେଳେ କିଛି ଦିନ ପୂର୍ବରୁ ଏୟାର ଇଣ୍ଡିଆର ଫୁକେଟ୍-ଦିଲ୍ଲୀ ବିମାନ ମଧ୍ୟ ହଠାତ୍ ଉଚ୍ଚତା ହରାଇବାରୁ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେଣୁ ଲଗାତାର ବିମାନ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବା ସହ ଯାତ୍ରୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।