ନୂଆଦିଲ୍ଲୀ: ପୁଣି ଥରେ ବିବାଦୁକ ଆସିଛି ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ । ଏକ କାର୍ଯ୍ୟକ୍ରମରେ ଜେଏନୟୁ ଛାତ୍ର ସଂଘ ପକ୍ଷରୁ ଦିଲ୍ଲୀ ଦଙ୍ଗାର ପ୍ରମୁଖ ଚେହେରା ଉମର ଖାଲିଦର ମୁକ୍ତି ପାଇଁ ସ୍ଲୋଗାନ ଦିଆଯାଇଛି । ଜେଏନୟୁ ଛାତ୍ର ସଂଘ ଏବଂ ଏଭିପିବି ମଧ୍ୟରେ ବିବାଦ ହୋଇଛି ।
ସୋମବାର ଜେଏନୟୁ ପରିସରରେ ଉମର ଖାଲିଦର ବହି ଫ୍ରାକ୍ଚର୍ କମ୍ୟୁନିଟିଜ୍ ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ କରାଯାଇଥିଲା । ଯେଉଁଥିରେ “ଉମର ଖାଲିଦ କୋ ରିହା କରୋ” (ଉମର ଖାଲିଦକୁ ମୁକ୍ତ କର), “ଜେଲ କେ ତାଲା ଟୁଟେଙ୍ଗେ, ସାରେ ସାଥୀ ଛୁଟେଙ୍ଗେ” (ଜେଲ ତାଲା ଭାଙ୍ଗିବ, ସବୁ ସାଥୀ ବାହାରିବେ) ଭଳି ସ୍ଲୋଗାନ ଦିଆଯାଇଥିଲା । ଏହାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟଙ୍କ ପକ୍ଷରୁ ବିରୋଧ କରାଯାଇଥିଲା । ଏବିଭିପି ପକ୍ଷରୁ “ଉମର ଖାଲିଦ ପାକିସ୍ତାନୀ” ଡାକରା ଦିଆଯାଇଥିଲା । ଫଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।
ସେପଟେ ଜେଏନୟୁ ଛାତ୍ର ସଂଘ ଅଭିଯୋଗ କରିଛି, ବିଶ୍ୱବିଦ୍ୟାଳୟ ପ୍ରଶାସନ ଶେଷ ମୁହୁର୍ତ୍ତରେ ଅଡ଼ିଟୋରିୟମ ଅନୁମତିକୁ ବାତିଲ କରିଥିଲା । ଏହା ପରେ ସେମାନେ ଖୋଲା ମଞ୍ଚରେ ଏସ୍ଏସ୍ଏସ୍-୨ ବିଲ୍ଡିଂ ବାହାରେ ବହିର ଆଲୋଚନା ଚକ୍ର କରିଥିଲେ । କିନ୍ତୁ ଏଭିବିପି ପକ୍ଷରୁ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଚେଷ୍ଟା କରାଯାଇଥିଲା ସେମାନେ ଅଭିଯୋଗ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଦିଲ୍ଲୀ ଦଙ୍ଗା ୨୦୨୦ର ଜଣେ ପ୍ରମୁଖ ଚେହେରା ଉମର ଖାଲିଦ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ଉତ୍ତେଜିତ ଭାଷଣ ଦେବା ଏବଂ ଦିଲ୍ଲୀ ଦଙ୍ଗାକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି ।