ପାରାଦୀପ: ଓଡ଼ିଶା ପାରାଦୀପ ଉପକୂଳ ବଙ୍ଗୋପସାଗରରେ “ଏମଭି ଓସେନ୍ ୱିନର୍” (MV Ocean Winner) ଜାହାଜ ବୁଡ଼ି ଘଟଣାକୁ ୬୦ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏଯାଏଁ ୨୨ ଜଣ ନାବିକଙ୍କ କୌଣସି ଖୋଜଖବର ମିଳି ପାରୁନାହିଁ । ଭାରତୀୟ ନୌସେନା ଦଳ ଏବଂ ତଟରକ୍ଷୀ ବାହିନୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଥିବାବେଳେ କୌଣସି ସୁଫଳ ମିଳିପାରି ନାହିଁ । ସେପଟେ କେଉଁ କାରଣ ପାଇଁ ଜାହାଜ ବୁଡ଼ିଲା ତାହା ଉପରେ ମଧ୍ୟ ତର୍ଜମା ଚାଲିଛି ।
ଶୁକ୍ରବାର ଓଡ଼ିଶାରୁ ଲୁହାପଥର ନେଇ “ଏମଭି ଓସେନ୍ ୱିନର୍” ଜାହାଜ ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିବାବେଳେ ପାରଦ୍ୱୀପଠାରୁ ୩୬୦ କିଲୋମିଟର ଦୂର ଗଭୀର ସମୁଦ୍ରରେ ହଠାତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ତେଣୁ ଜାହାଜଟି କୌଣସି ବିପଦ ସ୍ଥିତିରେ ଥିବା ସନ୍ଦେହ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହା ବୁଡ଼ି ଯାଇଥିବା ସ୍ପଷ୍ଟ ହୋଇଥିଲା । ଏଥିରେ ଲୁହାପଥର ସହିତ 24 ଜଣ ନାବିକ ଥିଲେ । ଯେଉଁଥିରେ ୨୦ ଜଣ ଚୀନ୍, ୩ ଜଣ ମିଆଁମାର ଏବଂ ଜଣେ ବାଂଲାଦେଶୀ ନାଗରିକ ଅନ୍ତର୍ଭୁକ୍ତ ।
ସୂଚନା ପାଇବା କ୍ଷଣି ଭାରତୀୟ ତଟରକ୍ଷୀ ବାହିନୀ ଏବଂ ନୌସେନା ପକ୍ଷରୁ ମିଳିତ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ତଟରକ୍ଷୀ ବାହିନୀ ଜାହାଜ ବରଦ, ଅନମୋଲ ଓ ବିଜିତକୁ ଉର୍ଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ତେବେ ଦୁଇ ଜଣ ନାବିକଙ୍କୁ ଅନ୍ୟ ଏକ ତୈଳବାହୀ ଜାହାଜ ଉଦ୍ଧାର କରିଥିଲା । ତଥାପି ଘଟଣାକୁ ୬୦ ଘଣ୍ଟା ବିତିଥିଲେ ସୁଦ୍ଧା ଅନ୍ୟ ୨୨ ଜଣ ଏବେବି ନିଖୋଜ ଅଛନ୍ତି ।
“ଏମଭି ଓସେନ୍ ୱିନର୍” ୭୩,୦୦୦ ଟନ୍ ଲୁହାପଥର ପରିବହନ କରିବାରେ କ୍ଷମତା ରଖିଥାଏ । ତେବେ ଘଟଣା ଦିନ ୭୨,୦୦୦ ଟନ୍ ଲୁହାପଥର ପରିବହନ କରୁଥିଲା ।
୧୭ ବର୍ଷ ତଳେ ବୁଡ଼ିଥିଲା ‘ବ୍ଲାକ୍ ରୋଜ୍’
ଗତ ୧୭ ବର୍ଷ ତଳେ ପାରଦ୍ୱୀପ ଉପକୂଳରେ ସମାନ ଘଟଣା ଘଟିଥିଲା । ପାରାଦ୍ୱୀପରୁ ଲୁହାପଥର ନେଇ ଯାଉଥିବା ବ୍ଲାକ୍ ରୋଜ୍ ଜାହାଜ ବୁଡ଼ି ଯାଇଥିଲା । ୯ ସେପ୍ଟେମ୍ବର, ୨୦୦୯ ମସିହାରେ ପାରଦ୍ୱୀପ ଉପକୂଳରୁ ମାତ୍ର ୫ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିଲା । ଉକ୍ତ ଜାହାଜରେ ୨୩ ହଜାର ମେଟ୍ରିକ୍ ଟନ୍ ଲୁହାପଥର ଥିଲା । କିନ୍ତୁ ଉପକୂଳରୁ କମ୍ ଦୂରତାରେ ଜାହାଜଟି ବୁଡ଼ି ଥିବାରୁ ୨୬ ଜଣ ନାବିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଜଣେ ମୁଖ୍ୟ ଯନ୍ତ୍ରୀ ପ୍ରାଣ ହରାଇଥିଲେ ।