ରାୟଗଡ଼ା: ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକରେ ଅଜଣା ଜ୍ୱର ଆତଙ୍କ । ପ୍ରଥମେ ଗୋରଖପୁର ଗ୍ରାମ ପରେ ଏବେ କୁଚେଇ ପଦର ପଞ୍ଚାୟତ ଯୁବାପଦର ଗ୍ରାମରେ ଜ୍ୱର ବ୍ୟାପିବାରେ ଲାଗିଛି । ପ୍ରାୟ ୨୦ରୁ ଅଧିକ ଗ୍ରାମବାସୀ ଜ୍ୱରରେ ପୀଡ଼ିତ ଥିବାବେଳେ ୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଦୁର୍ଯ୍ୟ ପୂଜାରୀଙ୍କ ପୁଅ ପିଙ୍କୁ ପୂଜାରୀ (୫) ଏବଂ ଖଗେଶ୍ୱର ମାଝୀଙ୍କ ପୁଅ ଶିବ ମାଝୀ (୭) ।
ଗ୍ରାମବାସୀଙ୍କ କହିବାନୁସାରେ ପ୍ରାୟ ଏକ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ହେବ ଗୋରଖପୁର ପରେ ଯୁବାପଦର ଗ୍ରାମରେ ଲୋକେ ଜ୍ୱରରେ ଆକ୍ରାନ୍ତ ହେଉଛନ୍ତି । ଗ୍ରାମର ଜଗବନ୍ଧୁ ମାଝୀ(୨୧), ଅନିତା ମାଝୀ(୧୦ ), ଲଳିତା ମାଝୀ (୯), ସୁଶୀଳା ପାଇକ, ନୀରୁ ପ୍ରଧାନୀ, କରୁଣା ପାଇକଙ୍କ ସମେତ ବହୁଜଣ ଜ୍ବରରେ ପୀଡ଼ିତ ଥିବା ଜଣା ଯାଇଛି। ପୀଡ଼ିତଙ୍କ ମଧ୍ୟରୁ କିଛି ଜଣ ଡଙ୍ଗାସିଲ ପିଏଚସିରେ ଚିକିତ୍ସିତ ହୋଇଥିଲେ ସୁଦ୍ଧା ଜ୍ବର ଛାଡ଼ୁନ ଥିବାର ଅଭିଯୋଗ ହୋଇଛି। ଗତକାଲି ଜ୍ୱରରେ ପୀଡ଼ିତ ଦୁର୍ଯ୍ୟ ପୂଜାରୀଙ୍କ ପିଙ୍କୁ ପୂଜାରୀ ଏବଂ ଖଗେଶ୍ୱର ମାଝୀଙ୍କ ପୁଅ ଶିଵ ମାଝୀକୁ ପରିବାର ଲୋକେ ଚିକିତ୍ସା ପାଇଁ ନିକଟସ୍ଥ ଦଶମନ୍ତପୁରବ୍ଲକ ଡୁମ୍ବାଗୁଡ଼ା ଗ୍ରାମରେ ରହୁଥିବା କ୍ୱାକ୍ ନିକଟକୁ ନେଇଥିଲେ। ଶିଶୁଙ୍କୁ ଇଞ୍ଜେକସନ ଦେଇ ଚିକିତ୍ସା କରିବାର କିଛି ଘଣ୍ଟା ପରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବାର ଗ୍ରାମବାସୀମାନେ କହିଛନ୍ତି। ଗତକାଲି ଅପରାହ୍ନରେ ଶିବ ମାଝୀଙ୍କ ମୃତ୍ୟୁ ହୋଇଥିଲା । ଏହାର କିଛି ଘଣ୍ଟା ପରେ ରାତିରେ ପିଙ୍କୁ ପୂଜାରୀଙ୍କ ମୃତ୍ୟୁ ହୋଇଥିବାର ଜଣାପଡ଼ିଛି । ଖବର ପାଇବା ପରେ କାଶୀପୁର ସିଏଚସିର ମୋବାଇଲ ହେଲଥ୍ ଟିମ୍ ଗ୍ରାମରେ ପହଞ୍ଚି ଜ୍ଵରରେ ପୀଡ଼ିତଙ୍କୁ ଚିକିତ୍ସା ଆରମ୍ଭ କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, କୁଚେଇ ପଦର ପଞ୍ଚାୟତ ଏବଂ ଡଙ୍ଗାସିଲ ପଞ୍ଚାୟତ ସଦରରେ ଗୋଟିଏ ଲେଖାଏଁ ପିଏଚସି ରହିଛି । କିନ୍ତୁ ଉକ୍ତ ପିଏଚସିରେ ଡାକ୍ତର ପଦବୀ ଖାଲି ପଡିଥିବାରୁ ଲୋକେ ଚିକିତ୍ସା ପାଇଁ ବେଆଇନ ଭାବେ ଚାଲୁଥିବା ଘରୋଇ କ୍ଲିନିକକୁ ଯିବା ପାଇଁ ବାଧ୍ୟ ହେଉଥିବାର ଅଭିଯୋଗ ହୋଇଛି । ଏହି ଘଟଣାରେ କାଶୀପୁର ସିଏଚସି ଇନଚାର୍ଜ ଡାକ୍ତର ନେତ୍ରାନନ୍ଦ ନାୟକ କହିଛନ୍ତି ଯେ, ଶିଶୁମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନଥିଲେ ସୁଦ୍ଧା ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି । ଗ୍ରାମରେ ଥିବା ଅନ୍ୟ ପୀଡ଼ିତଙ୍କ ଚିକିତ୍ସା ପାଇଁ ହେଲଥ ଟିମ୍ ପଠା ଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।