କେନ୍ଦୁଝର: ପ୍ରବଳ ବର୍ଷାର ପ୍ରଭାବରେ କେନ୍ଦୁଝର ଜିଲ୍ଲାରେ ଦୁଇଟି ବଡ଼ ସମସ୍ୟା ଦେଖାଦେଇଛି। ଯୋଡ଼ା ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ ଘଟିଥିବା ବେଳେ ବଡ଼ବିଲ ସହର ଜଳବନ୍ଦୀ ପରିସ୍ଥିତିରେ ରହିଛି।
ରୁଗୁଡ଼ି ଥାନା ଅନ୍ତର୍ଗତ NH-520ର ବାରବାଙ୍କ ଘାଟିରେ ଗତ ରାତିରେ ପାହାଡ଼ର ମାଟି ଅତଡ଼ା ଧସି ରାଜପଥର ଗୋଟିଏ ପାର୍ଶ୍ୱରେ ପଡ଼ିଯାଇଛି। ଫଳରେ ରାସ୍ତାର ଅଧା ଅଂଶ ଅବରୋଧ ହୋଇ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରାସାହିରୁ ରାଜାମୁଣ୍ଡା ଦିଗକୁ ଯାତ୍ରା କରୁଥିବା ଚାଳକ ଓ ଯାତ୍ରୀଙ୍କୁ ସତର୍କତାର ସହ ଯାତ୍ରା କରିବାକୁ କେନ୍ଦୁଝର ପୋଲିସ ପରାମର୍ଶ ଦେଇଛି।
ବଡ଼ବିଲରେ ରାସ୍ତା ଉପରେ ପାଣିର ସ୍ରୋତ
ସେପଟେ ବଡ଼ବିଲ ସହରରେ ଲଗାଣ ବର୍ଷା ଯୋଗୁଁ ପ୍ରମୁଖ ରାସ୍ତାଗୁଡ଼ିକରେ ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି। ଡ୍ରେନେଜ୍ ବ୍ୟବସ୍ଥା ଠିକ୍ ଭାବେ କାମ ନକରିବାରୁ ଡେଲି ମାର୍କେଟ ସମେତ ସହରର ବିଭିନ୍ନ ୱାର୍ଡରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଘର ଓ ଦୋକାନ ସମ୍ମୁଖରେ ପାଣି ଜମି ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଥିବା ବେଳେ ବର୍ଷା ଜାରି ରହିଲେ ସମସ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।