ବଙ୍ଗୋପସାଗରରେ ବୁଡ଼ିଯାଇଥିବା ପାନାମା ପତାକାବାହୀ କାର୍ଗୋ ଜାହାଜ MV Ocean Winnerର ୨୨ ଜଣ ନିଖୋଜ କ୍ରୁ ସଦସ୍ୟଙ୍କ ସନ୍ଧାନ ପାଇଁ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ୍ ଜୋରଦାର ଭାବେ ଜାରି ରହିଛି। ନିଖୋଜ କ୍ରୁଙ୍କ କୌଣସି ସନ୍ଧାନ ମିଳିବା ପର୍ଯ୍ୟନ୍ତ ଅଭିଯାନ ବନ୍ଦ ହେବନି ବୋଲି ଭାରତୀୟ ତଟରକ୍ଷୀ ବାହିନୀ ସ୍ପଷ୍ଟ କରିଛି।
ପାରାଦୀପ ଉପକୂଳଠାରୁ ପ୍ରାୟ ୨୩୦ ନଟିକାଲ୍ ମାଇଲ୍ ଦୂରରେ ଥିବାବେଳେ ଜାହାଜଟି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଅଗଷ୍ଟ ୨୨ ତାରିଖ ପୂର୍ବାହ୍ନ ୧୧:୪୮ରେ MRCC ପକ୍ଷରୁ ଡିଷ୍ଟ୍ରେସ୍ ସୂଚନା ମିଳିବା ପରେ ତଟରକ୍ଷୀ ବାହିନୀ ଓ ଭାରତୀୟ ନୌସେନା ମିଳିତ ଭାବେ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ।
୨ ଜଣ ଜୀବିତ ଉଦ୍ଧାର, ୨୨ ଏବେ ବି ନିଖୋଜ
ଜାହାଜରେ ମୋଟ ୨୪ ଜଣ କ୍ରୁ ଥିଲେ। ସେମାନଙ୍କ ମଧ୍ୟରେ ୨୦ ଜଣ ଚୀନ୍, ୩ ଜଣ ମିଆଁମାର ଓ ଜଣେ ବାଂଲାଦେଶୀ ନାଗରିକ ଥିଲେ। ସର୍ଚ୍ଚ ଅପରେସନ୍ ବେଳେ ଲାଇଫ୍ ରାଫ୍ଟରେ ଥିବା ୨ ଜଣଙ୍କୁ ବାଣିଜ୍ୟିକ ଜାହାଜ MT Aisopos ଜୀବିତ ଉଦ୍ଧାର କରିଥିଲା। ତେବେ ଅନ୍ୟ ୨୨ ଜଣଙ୍କ ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ।
ସମୁଦ୍ରରେ ୩ ଜାହାଜ, ନୌସେନାର ସହଯୋଗ
ତଟରକ୍ଷୀ ବାହିନୀ ପକ୍ଷରୁ ICGS Vijit ଓ ICGS Varad ସମେତ ୩ଟି ଜାହାଜ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି। MRCC ଶ୍ରୀ ବିଜୟପୁରମ ଓ ପୋର୍ଟ ବ୍ଲେୟାରରୁ ଅପରେସନ୍ର ସମନ୍ୱୟ କରାଯାଉଥିବା ବେଳେ ଭାରତୀୟ ନୌସେନା ମଧ୍ୟ ସକ୍ରିୟ ସହଯୋଗ କରୁଛି।
ଭାରତୀୟ ତଟରକ୍ଷୀ ବାହିନୀ କହିଛି, “ନିଖୋଜ କ୍ରୁ ସଦସ୍ୟଙ୍କ ସନ୍ଧାନ ନ ମିଳିବା ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ୍ ଅବ୍ୟାହତ ରହିବ।”