ଜୟପୁର: ରାଜସ୍ଥାନର ସରକାରୀ ବିଦ୍ୟାଳୟଗୁଡ଼ିକର ଅବସ୍ଥାକୁ ନେଇ ଚାଲିଥିବା ବିବାଦ ଏବେ ହିଂସାତ୍ମକ ମୋଡ଼ ନେଇଛି। ‘କକ୍ରୋଚ୍ ଜନତା ପାର୍ଟି’ (CJP) ର ସହ-ଆବାହକ ଆଶୁତୋଷ ରଙ୍କା ଏବଂ ତାଙ୍କ ଟିମ୍ ଉପରେ ଜୟପୁର ନିକଟସ୍ଥ ରାମପୁରା-କାୱାରପୁରା ଗାଁରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।
ଆଶୁତୋଷ ରଙ୍କା ଏବଂ ତାଙ୍କ ସହଯୋଗୀମାନେ ଏକ ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ଯାଞ୍ଚ କରିବାକୁ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଆକ୍ରମଣ କରିଥିଲେ। ଅଭିଯୋଗ ଅନୁଯାୟୀ, ଆକ୍ରମଣକାରୀମାନେ ବାଡ଼ି ଓ ପଥର ସାହାଯ୍ୟରେ ସେମାନଙ୍କ ଉପରେ ଚଢ଼ାଉ କରିଥିଲେ। ଏଥିରେ ଜଣେ ମହିଳା ସହଯୋଗୀଙ୍କ ସମେତ କିଛି ସଦସ୍ୟ ଆହତ ହୋଇଥିବା ବେଳେ ଟିମ୍ର ଗାଡ଼ି ମଧ୍ୟ ଭଙ୍ଗାରୁଜା ହୋଇଛି। ଆଶୁତୋଷ ରଙ୍କା ସିଧାସଳଖ ଶାସକ ଦଳର କର୍ମୀଙ୍କୁ ଏହି ଆକ୍ରମଣ ପାଇଁ ଦାୟୀ କରିଛନ୍ତି।
ମନ୍ତ୍ରୀଙ୍କ ବିରୋଧରେ ଗର୍ଜିଲେ ରଙ୍କା
ଏହି ଘଟଣା ପରେ ଆଶୁତୋଷ ରଙ୍କା ରାଜ୍ୟର ଶିକ୍ଷାମନ୍ତ୍ରୀ ମଦନ ଦିଲାୱରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ସରକାରଙ୍କୁ ୪୮ ଘଣ୍ଟିଆ ଅଲଟିମେଟମ୍ ଦେଇ କହିଛନ୍ତି ଯେ, ଯଦି ଏହି ସମୟ ମଧ୍ୟରେ ଦୋଷୀଙ୍କୁ ଗିରଫ କରାନଯାଏ ଏବଂ ବିଦ୍ୟାଳୟ ପରିଦର୍ଶନ ଉପରେ ଲାଗିଥିବା କଟକଣା ପ୍ରତ୍ୟାହାର କରାନଯାଏ, ତେବେ ସାରା ରାଜ୍ୟରେ ଏକ ବ୍ୟାପକ ଆନ୍ଦୋଳନ ଆରମ୍ଭ ହେବ। ଏଥିସହିତ ସେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି।
କାହିଁକି ଆରମ୍ଭ ହେଲା ଏହି ବିବାଦ ?
ରାଜ୍ୟ ଶିକ୍ଷା ବିଭାଗ ନିକଟରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲା ଯେଉଁଥିରେ ବିନା ଅନୁମତିରେ ବାହାର ବ୍ୟକ୍ତିଙ୍କୁ ସରକାରୀ ସ୍କୁଲ ଭିତରକୁ ପ୍ରବେଶ ମନା କରାଯାଇଥିଲା। ସରକାରଙ୍କ ମତରେ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଶିକ୍ଷା ପରିବେଶକୁ ବଜାୟ ରଖିବା ପାଇଁ ଏହି କଟକଣା ଲାଗୁ କରାଯାଇଛି। କିନ୍ତୁ CJP ର ଅଭିଯୋଗ ଯେ, ଏହା ସରକାରୀ ସ୍କୁଲର ଶୋଚନୀୟ ଅବସ୍ଥାକୁ ଲୋକଲୋଚନକୁ ଆଣିବାରୁ ଅଟକାଇବା ପାଇଁ କରାଯାଇଥିବା ଏକ ଚକ୍ରାନ୍ତ।