ନୂଆଦିଲ୍ଲୀ: 'ବନ୍ଦେ ମାତରମ୍'କୁ ନେଇ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ର ନିଷ୍ପତ୍ତି ପରେ ଦେଶର ରାଜନୈତିକ ପାଣିପାଗ ସରଗରମ ହୋଇଉଠିଛି। ଏହି ପ୍ରସଙ୍ଗରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, କଂଗ୍ରେସ ଦଳ ପୁଣିଥରେ ଦେଶବିରୋଧୀ ନୀତି ଆପଣାଇବା ସହ ତୁଷ୍ଟୀକରଣ ରାଜନୀତିକୁ ପ୍ରଶ୍ରୟ ଦେଉଛି। ତେଣୁ ଦେଶର ଜନସାଧାରଣ ଏହା ବିରୁଦ୍ଧରେ ଏକାଠି ହେବାକୁ ସେ ଆହ୍ୱାନ କରିଛନ୍ତି।
ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ୧୯୩୭ ମସିହାରେ କଂଗ୍ରେସ ଦଳ ମୁସଲିମ୍ ତୁଷ୍ଟୀକରଣ ପାଇଁ 'ବନ୍ଦେ ମାତରମ୍'ର ଦୁଇଫାଳ କରି ଭାରତ ବିଭାଜନର ମୂଳଦୁଆ ପକାଇଥିଲା, ଯାହା ଫଳରେ ପାକିସ୍ତାନର ଜନ୍ମ ହୋଇଥିଲା। ଯେଉଁ ସ୍ୱାଧୀନତା ସଂଗ୍ରାମୀମାନେ 'ବନ୍ଦେ ମାତରମ୍' ନାରା ଦେଇ ହସିହସି ଫାଶୀଖୁଣ୍ଟରେ ଜୀବନ ଦେଇଥିଲେ, କଂଗ୍ରେସ ସେହି ଅଖଣ୍ଡ ସେବା ଓ ବଳିଦାନକୁ ଅପମାନିତ କରିଛି। ଆଜି ବି କଂଗ୍ରେସ ନିଜର ସେହି ପୁରୁଣା ୧୯୩୭ର ପ୍ରସ୍ତାବକୁ ଆଧାର କରି ସଂସଦର ଆଇନକୁ ପ୍ରତ୍ୟାଖ୍ୟାନ କରୁଛି।
ପ୍ରଧାନମନ୍ତ୍ରୀ ମୋଦି ସୁଧାରିଲେ ପୂର୍ବର ଭୁଲ୍
ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ଟାର୍ଗେଟ୍ କରି ଶାହ ଆହୁରି କହିଛନ୍ତି ଯେ, କଂଗ୍ରେସ ପୁଣିଥରେ ସେହି ପୁରୁଣା ତୁଷ୍ଟୀକରଣ ମାର୍ଗରେ ଆଗକୁ ବଢ଼ୁଛି। ଦେଶ ପୂର୍ବରୁ ଏପରି ଭୁଲ୍ କରି ବଡ଼ ମୂଲ୍ୟ ଦେଇସାରିଛି। ବର୍ତ୍ତମାନ ଦେଶବାସୀ ଏହି ନିଷ୍ପତ୍ତି ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ଏକାଠି ହେବାର ସମୟ ଆସିଛି। ଆମେ ଏକ ସ୍ୱାଧୀନ ଦେଶରେ ବାସ କରୁଛୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ପୁରୁଣା ଭୁଲଗୁଡ଼ିକୁ ସୁଧାରିବାର କାମ କରିଛନ୍ତି।