ବେଙ୍ଗାଲୁରୁ: ସ୍ୱାଧୀନତା ଦିବସରେ କଂଗ୍ରେସ ମୁଖ୍ୟାଳୟରେ 'ବନ୍ଦେ ମାତରମ୍'ର ଅସମ୍ମାନ ସମ୍ପର୍କିତ ଅଭିଯୋଗ ରାଜନୈତିକ ପାଣିପାଗକୁ ଉଷ୍ଣ କରିଛି । ବଢ଼ୁଥିବା ବିବାଦ ମଧ୍ୟରେ ବିଜେପି କର୍ଣ୍ଣାଟକରେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ କରିଛି। କର୍ଣ୍ଣାଟକର ଉର୍ଭା ପୋଲିସ ଷ୍ଟେସନରେ ବିଜେପି ପକ୍ଷରୁ ଏତଲା ଦିଆଯାଇଛି ।
ଗତକାଲି କଂଗ୍ରେସ ମୁଖ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ କରାଯାଉଥିବାବେଳେ ଜାତୀୟ ପତାକା ଉତ୍ତୋଳନ ପୂର୍ବରୁ ରାଷ୍ଟ୍ରୀୟ ଗାନ ‘ବନ୍ଦେ ମାତରମ୍’ ଗାନ କରାଯାଇଥିଲା । ଏହି ସମୟରେ କଂଗ୍ରେସ ଦଳ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ପ୍ରମୁଖ ଉପସ୍ଥିତ ଥିଲେ । କେବଳ ସୋନିଆ ନୁହେଁ କେହି ମଧ୍ୟ ରାଷ୍ଟ୍ରୀୟ ଗାନକୁ ସମ୍ମାନ ଜଣାଇନଥିଲେ । ସୋନିଆ ଗୀତକୁ ବନ୍ଦ କରିବାକୁ ହାତ ହଲାଇ ନିର୍ଦ୍ଦେଶ ଦେଇଥିଲେ । ସେହିପରି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଗୀତକୁ ବନ୍ଦ କରିବାକୁ ନିଜ ସ୍ଥାନରୁ ଏତେତେଣେ ଯାଉଥିଲେ । ରାହୁଲ ଗାନ୍ଧୀ ଗୀତ ମଝିରେ ଅନ୍ୟ ସହ କଥାବାର୍ତ୍ତା କରୁଥିବା ଦେଖାଯାଇଥିଲା । ଏକ ରାଷ୍ଟ୍ରୀୟ ଗୀତକୁ କଂଗ୍ରେସ ଦ୍ୱାରା ଏଭଳି ଅପମାନ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି କରିଛି ।
ଅଧିକ ପଢ଼ନ୍ତୁ-‘ବନ୍ଦେ ମାତରମ’କୁ ଅପମାନ: ଗର୍ଜିଲେ ଶାହ, କହିଲେ ସୋନିଆଙ୍କ ପାପ ପାଇଁ କ୍ଷମା କରିବେ ନାହିଁ ଜନତା
କିନ୍ତୁ କଂଗ୍ରେସ ଏହି ଅଭିଯୋଗକୁ ଖଣ୍ଡନ କରିଛି । ରାଷ୍ଟ୍ରୀୟ ଗାନକୁ କୌଣସି ଅପମାନ କରାଯାଇନଥିବା କହି ସଫେଇ ଦେଇଛି କଂଗ୍ରେସ ।
ନିକଟରେ କେନ୍ଦ୍ର ସରକାର ବନ୍ଦେ ମାତରମ୍ ପାଇଁ ଜାତୀୟ ସମ୍ମାନ (ସଂଶୋଧନ) ବିଲ୍ ଆଗତ କରିଥିଲେ । ଯାହା ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି । ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମକୁ ଅପମାନ କଲେ ତାହା ଏହା ଫୌଜଦାରୀ ଅପରାଧ ଭାବେ ବିବେଚନା କରାଯିବ ।