ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରେହମାନଙ୍କୁ ନିମନ୍ତ୍ରଣ କରିଛନ୍ତି । ପଡ଼ୋଶୀ ବାଂଲାଦେଶ ଭାରତ ସମ୍ମୁଖରେ ସର୍ତ୍ତ ରଖିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସହିତ କିଛି ବନ୍ଦୀ କଏଦୀଙ୍କୁ ବାଂଲାଦେଶକୁ ହସ୍ତାନ୍ତର କଲେ ରେହମାନ ଭାରତ ଆସିବେ ବୋଲି ବାଂଲାଦେଶ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଏକେଏମ୍ ଶାହିଦୁଲ୍ କରିମ୍ ରବିବାର ଲିଖିତ ଆକାରରେ ସର୍ତ୍ତ ରଖିଛନ୍ତି ।
ବାଂଲାଦେଶ ସରକାର ଏକ ପ୍ରେସ୍ ବିବୃତ୍ତି ଜରିଆରେ ସ୍ପଷ୍ଟ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାରିକ ରେହମାନ ପାଇଁ କିଛି ସର୍ତ୍ତ ରହିଛି । ତାରିକ ରେହମାନଙ୍କ ଭାରତ ଗସ୍ତ ପାଇଁ ଉଭୟ ଦେଶର ଅଧିକାରୀମାନେ ଗତ କିଛି ସପ୍ତାହ ଧରି ଯୋଗାଯୋଗରେ ରହିଛନ୍ତି । ଦ୍ୱିପାକ୍ଷିକ ପ୍ରତ୍ୟର୍ପଣ ଚୁକ୍ତିନାମାକୁ ଉଦ୍ଧୃତ କରି ବାଂଲାଦେଶ ଭାରତ ସରକାରଙ୍କୁ ଶେଖ୍ ହାସିନା ଏବଂ ଅନ୍ୟାନ୍ୟ ପଳାତକ ଅପରାଧୀଙ୍କୁ ଯଥାଶୀଘ୍ର ହସ୍ତାନ୍ତର କରିବାକୁ ଅନୁରୋଧ କରିଛି । ରାଜନୈତିକ କର୍ମୀ ଓସମାନ ହାଦିଙ୍କ ହତ୍ୟାକାଣ୍ଡରେ ଅଭିଯୁକ୍ତମାନଙ୍କୁ ପ୍ରତ୍ୟର୍ପଣ କରିବାକୁ ମଧ୍ୟ ବାଂଲାଦେଶ ଦାବି କରିଛି। ଓସମାନଙ୍କ ହତ୍ୟାକାଣ୍ଡର ଦୁଇ ଜଣ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ମାର୍ଚ୍ଚ ମାସରେ ଉତ୍ତର ୨୪ ପରଗନା ଜିଲ୍ଲାର ସୀମାନ୍ତ ବୋନଗାଓଁରୁ ଗିରଫ କରିଥିଲା।
ସେହିପରି ଅଗଷ୍ଟ ୫ ତାରିଖରେ ନୂଆଦିଲ୍ଲୀରେ ଶେଖ ହାସିନାଙ୍କ ଏକ ସାମ୍ବାଦିକ ସମ୍ମିଳନୀ ଉପରେ ବାଂଲାଦେଶ ଆପତ୍ତି ଉଠାଇଛି । ତେଣୁ କରିମ୍ କହିଛନ୍ତି, "ଆମେ ବିଶ୍ୱାସ କରୁଛୁ ଯେ ଏହି ଉଚ୍ଚସ୍ତରୀୟ ଗସ୍ତ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରାଯିବା ଆବଶ୍ୟକ।"ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT) ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ସତ୍ତ୍ୱେ ଶେଖ୍ ହାସିନାଙ୍କ ନୂଆଦିଲ୍ଲୀରେ ଖୋଲା ସାମ୍ବାଦିକ ସମ୍ମିଳନୀକୁ ବାଂଲାଦେଶୀ ବୈଦେଶିକ ମନ୍ତ୍ରାଳୟ ଦୃଢ଼ ବିରୋଧ କରିଛି । ବାଂଲାଦେଶ କହିଛି ଯେ ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କର ବାତାବରଣକୁ ପ୍ରଭାବିତ କରିଛି ।
ଅନ୍ୟପକ୍ଷରେ, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଶେଖ୍ ହାସିନାଙ୍କ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀର ଭାରତ ସରକାରଙ୍କ ସହିତ କୌଣସି ସମ୍ପର୍କ ନାହିଁ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଥିଲା ଯେ ଶେଖ୍ ହାସିନାଙ୍କ ପ୍ରତ୍ୟର୍ପଣ ସମ୍ପର୍କରେ ବାଂଲାଦେଶରୁ ମିଳିଥିବା ଅନୁରୋଧ ବର୍ତ୍ତମାନ ବିଚାରଧୀନ ରହିଛି ।