ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଚାଞ୍ଚଲ୍ୟ ଖେଳି ଯାଇଛି । ଅଗଷ୍ଟ ୧୫ରେ ଦେଶ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ସେପଟେ ଦେଶରକୁ ସୁରକ୍ଷା ଦେଉଥିବା ଜଣେ ନୌସେନା ଅଧିକାରୀଙ୍କ ପରିବାର ଛାରଖାର ହୋଇଯାଇଛି । ନୌସେନା ନାବିକଙ୍କ ଝୁଲନ୍ତା ମୃତ ଦେହ ମିଳିଥିବାବେଳେ ତାଙ୍କ ପତ୍ନୀ ଏବଂ ଦୁଇ ଶିଶୁଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ଦୁଇ ପିଲାଙ୍କ ମଧ୍ୟରୁ ଜଣଙ୍କର ବୟସ ୩ ବର୍ଷ ହୋଇଥିବାବେଳେ ଅନ୍ୟ ଜଣେ ମାତ୍ର ୨ ମାସର ନବଜାତ ଶିଶୁ ଅଟେ । ମୃତ ନୌସେନା ନାବିକ ହେଲେ ପୁରଣମାଲ ଶମ୍ଭୁଲାଲ ମେହେରା (୩୦), ପତ୍ନୀ ଓମା ପୁରଣମାଲ ମେହେରା (୨୮), ପୁଅ ୟଶ୍ ପୁରଣମାଲ ମେହେରା (୩) ଏବଂ ୨ ମାସର ନବଜାତ ଶିଶୁ ।
ପୁରଣମାଲ ନିଜେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସେପଟେ ପତ୍ନୀ ଏବଂ ଦୁଇ ଶିଶୁଙ୍କୁ ବିଷ ଦିଆଯାଇ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ମୁମ୍ବାଇ ପୋଲିସ ।
ଭାରତୀୟ ନୌସେନା ଏକ ବିବୃତ୍ତିରେ କହିଛି ଯେ "କୋଲାବାର ନୌସେନା ନଗରରେ ଏକ ଦୁଃଖଦ ଘଟଣା ଘଟିଛି । ଅଗଷ୍ଟ ୧୫ ତାରିଖରେ ଜଣେ ଭାରତୀୟ ନୌସେନା ନାବିକ, ତାଙ୍କ ସ୍ତ୍ରୀ ଏବଂ ଦୁଇ ପିଲାଙ୍କୁ ସେମାନଙ୍କ ଘରେ ମୃତ ଅବସ୍ଥାରେ ପାଇଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରୁଛି ଏବଂ ଭାରତୀୟ ନୌସେନା ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛି।"
ପୋଲିସ ଘଟଣା ସ୍ଥଳରେ ପହଁଚି ସମସ୍ତ ୪ଟି ମୃତ ଦେହକୁ ଜବତ କରିଛି । ପୋଲିସ ମୃତଦେହ ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏହା ସହିତ ଅନ୍ୟ ପରିବାର ସଦସ୍ୟ, ସମ୍ପର୍କୀୟ ଏବଂ ପଡ଼ୋଶୀଙ୍କୁ ପଚରାଉଚରା କରୁଛି । ନୌସେନା ନାବିକ କାହିଁକି ଏତେ ବଡ଼ ଚରମ ନିଷ୍ପତ୍ତି ନେଇଛନ୍ତି ସେ ନେଇ ଯାଞ୍ଚ ଜାରି ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିବ ବୋଲି ମୁମ୍ବାଇ ଡେପୁଟି ପୋଲିସ କମିଶନର ମନୀଷ କଲ୍ୱାନିୟା କହିଛନ୍ତି ।