ଭଦ୍ରକ: ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବାତିଲ୍ ହେଲା ଛୁଟି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛୁଟି ବାତିଲ୍ କଲେ ଜିଲ୍ଲାପାଳ।
ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଜାରି ରହିଛି। ଛୁଟିରେ ଥିଲେ ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ମଧ୍ୟ ନିର୍ଦ୍ଦେଶ।
ଭଦ୍ରକରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ବୈତରଣୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପୁଣି ଭଦ୍ରକ ଆଖୁଆପଦାରେ ବୃଦ୍ଧି ପାଉଛି ଜଳସ୍ତର। ତଳମୁଣ୍ଡରେ ସମୁଦ୍ର ଜୁଆରିଆ ଥିବାରୁ ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ସ୍ଥିତି ଅପରିବର୍ତ୍ତିତ ରହିଛି। ଫଳରେ ୩ ଦିନ ହେବ ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି, ଚାନ୍ଦବାଲି ବ୍ଲକରେ ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏବେ ବି ହଦଗଡ଼ ଡ଼୍ୟାମରୁ ବନ୍ୟାଜଳ ନିଷ୍କାସନ ହେଉଥିବାରୁ ସାଳନ୍ଦୀ ନଦୀର ଜଳସ୍ତରରେ ସୁଧାର ଆସିନାହିଁ । ଫଳରେ ଭଦ୍ରକ ରାଜଘାଟରେ ବିପଦ ସଙ୍କେତ ୧୭ଫୁଟ ନିକଟରେ ପ୍ରବାହିତ ହେଉଥିବାରୁ ବୈତରଣୀ ଓ ସାଳନ୍ଦୀ ନଦୀର ଶାଖା ନଦୀ ରେବ, କୋଚିଳା, ନାଳିଆ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହାଦ୍ବାରା ୪ଟି ବ୍ଲକର ୪୪ଟି ପଞ୍ଚାୟତ ପ୍ରଭାବିତ ହେବା ସହ ୭୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇଛି। ଭଣ୍ଡାରୀପୋଖରୀ ବ୍ଲକର ରହଣିଆ, ମାଳଦା, ଷୋଳମପୁର, ନପଙ୍ଗ ଓ କୋରିଗାଁ ଆଦି ୮ଟି ପଞ୍ଚାୟତର ୩୦ ଗାଁ ୩ଦିନ ଧରି ବନ୍ୟା ଘେରରେ ରହିଛି। ବର୍ଷା ଲାଗି ରହିଥିବାରୁ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି।
ଅନ୍ୟପଟେ ଲଘୁଚାପ ଯୋଗୁ ଓଡ଼ିଶାକୁ ଆଗାମୀ ଦୁଇ ଦିନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ୪ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଜାରି ହେଲା ସତର୍କତା ଜାରି ହୋଇଛି।