ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତରପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ଏହି ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ଉତ୍ତର ଦିଗକୁ ଗତି କରିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଲଘୁଚାପ ପାଇଁ ଓଡ଼ିଶାକୁ ନାଲି ସଙ୍କେତ ବା ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।
ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବାଧିକ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ । ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ । ୨୦ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି ।