ପୁରୀ: ପୁରୀ ଜିଲ୍ଲା ପିପିଲି ବ୍ଲକ ମାଟିଆପଡ଼ାର ରାଜସ୍ୱ ନିରୀକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆରଆଇ ଆଶୁତୋଷ ସାହୁଙ୍କୁ ପ୍ରାଣଘାତକ ଆକ୍ରମଣ କରାଯାଇଛି । ସେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ମିଳିଥିବା ପ୍ରାଥମିକ ସୂଚନା ଆଧାରରେ, ଶନିବାର ବିଳମ୍ବିତ ରାତିରେ ଆରଆଇ ଆଶୁତୋଷ ସାହୁ ଘରକୁ ଫେରୁଥିଲେ । ପିପିଲି ଆଠବାଟିଆ ନିକଟରେ କିଛି ଦୁର୍ବୃତ୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଆକ୍ରମଣର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବାବେଳେ ଜମିଜମା ବିବାଦକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି। ଏ ନେଇ ପିପିଲି ଥାନାରେ ଆଶୁତୋଷଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଛି । ପିପିଲି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।