ଭୁବନେଶ୍ୱର: ଆଜି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାଦାଦୂର ଖୁରାନିଆ ଚାକିରୀରୁ ଅବସର ନେବେ । ତାଙ୍କ ପରେ ପରବର୍ତ୍ତୀ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ୧୯୯୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ତଥା କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଅନ୍ତରୀଣ ଦାୟିତ୍ୱ ସମ୍ଭାଳିବେ ।
୧୯୯୦ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆ, ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଓଡ଼ିଶା ପୋଲିସ ବିଭାଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି । ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୁରଭଞ୍ଜ ଏବଂ ରାଉରକେଲା ଏସପି ଭାବେ କାର୍ଯ୍ୟ କରିଛନ୍ତି । ଏହା ପରେ ଡିଆଇଜି ରାଙ୍କକୁ ପଦୋନ୍ନତି ପାଇ ଦକ୍ଷିଣାଞ୍ଚଳ ଡିଆଇଜି, ଭୁବନେଶ୍ୱର କମଶନରେଟ୍ ପୋଲିସର ଅତିରିକ୍ତ ସିପି ଏବଂ ଉତ୍ତରାଞ୍ଚଳ ଡିଆଇଜି ଦାୟିତ୍ୱ ସମ୍ଭାଳିଛନ୍ତି ।
ସେହିପରି ଆଇଜିପି ରାଙ୍କକୁ ପଦୋନ୍ନତି ପାଇଁ ଉତ୍ତରାଞ୍ଚଳ, ଦକ୍ଷିଣାଞ୍ଚଳ ଏବଂ ଅପରେସନ୍ସ ଆଇଜିପି ଦାୟିତ୍ୱ ଗ୍ରହଣ କରି ସଫଳତାର ସହିତ ତୁଲାଇଥିଲେ । ଏହା ପରେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଦକ୍ଷିଣ କମାଣ୍ଡର ସ୍ୱତନ୍ତ୍ର ଡିଜି ଭାବେ କାର୍ଯ୍ୟକରିଛନ୍ତି ।
ଖୁରାନିଆ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ତନ୍ମଧ୍ୟରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ରାଜ୍ୟପାଳ ପଦକ ଏବଂ ସାହାସିକତା ସେବା ପାଇଁ ରାଷ୍ଟ୍ରପତିଙ୍କ ପୋଲିସ ପଦକ ଅନ୍ତର୍ଭୁକ୍ତ ।
ୱାଇ.ବି. ଖୁରାନିଆ ୨୦୨୬ ମାର୍ଚ୍ଚ ମାସରେ ୬୦ ବର୍ଷ ବୟସ ପୂରଣ କରି ସରକାରୀ ଚାକିରିରୁ ଅବସର ନେବାର ନିୟମ ଥିଲା । ତେବେ ରାଜ୍ୟ ପୋଲିସ ମୁଖ୍ୟ ଭାବେ ଅନ୍ତତଃ ୨ ବର୍ଷର ନିଶ୍ଚିତ କାର୍ଯ୍ୟକାଳ ନିୟମାବଳୀ ଅନୁଯାୟୀ ତାଙ୍କୁ ୨୦୨୬ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ମିଳିଥିଲା। ଏହି ନିର୍ଦ୍ଧାରିତ ସମୟସୀମା ଶେଷ ହେବାକୁ ଯାଉଥିବାରୁ ସରକାର ତାଙ୍କ ଅବସର ପ୍ରକ୍ରିୟାକୁ ଚୂଡ଼ାନ୍ତ ମଞ୍ଜୁରୀ ଦେଇଛନ୍ତି।