ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ବନ୍ୟା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ସାଳନ୍ଦୀ ଏବଂ ବ୍ରାହ୍ମଣୀରେ ନଦୀରେ ଜଳ ସ୍ତର ବୃଦ୍ଧି ପାଇବା ଦ୍ୱାରା 6ଟି ଜିଲ୍ଲା ପ୍ରଭାବିତ ହୋଇଛି । ମୋଟ ୬ଟି ଜିଲ୍ଲା, ୫୨ଟି ବ୍ଲକ୍, ୨୨୭ଟି ଗ୍ରାମ ପଞ୍ଚାୟତ ଏବଂ ୫୦୩ଟି ଗାଁର ୨,୭୦,୨୧୨ ଜଣ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ସର୍ବାଧିକ ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲା ପ୍ରଭାବିତ ହୋଇଛି । ମୋଟ ୯୫,୨୦୬ ଜଣଙ୍କୁ ସ୍ଥାନାନ୍ତର କରାଯାଇ ୨୨୬ଟି ଆଶ୍ରୟସ୍ଥଳୀରେ ରଖାଯାଇଥିବା ସୂଚନା ଦେଇଛନ୍ତି । ସେହିପରି ୩୭୯୪ ହେକ୍ଟର ଚାଷ ଜମି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି ।
ସ୍ପେଶାଲ୍ ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ । ପ୍ରଭାବିତ ଜିଲ୍ଲାରେ ଲୋକଙ୍କ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦିଆଯାଇଛି । ରିଲିଫ୍ ବଣ୍ଟନ, ଉଦ୍ଧାର କାର୍ଯ୍ୟ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ମୋଟ ୧୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି । ୩୬ଟି ଓଡ୍ରାଫ୍ ଟିମ୍, ୭ଟି ଏନଡିଆରଏଫ୍ ଟିମ୍, ୩୫ଟି ଅଗ୍ନିଶମ ଓ ଜରୁରୀକାଳୀନ ସେବା ଟିମ୍ ଏବଂ ୪୦ଟି ସ୍ଥାନୀୟ ଟିମ୍ ସାମିଲ ଅଛନ୍ତି ।
ଏହି ଆଶ୍ରୟସ୍ଥଳୀଗୁଡ଼ିକରେ ସ୍ୱାସ୍ଥ୍ୟକର ରନ୍ଧା ଖାଦ୍ୟ, ନିରାପଦ ପାନୀୟ ଜଳ, ପରିମଳ ବ୍ୟବସ୍ଥା, ଆଲୋକ ଏବଂ ଚିକିତ୍ସା ସହାୟତା ଭଳି ଆବଶ୍ୟକ ସୁବିଧା ସୁନିଶ୍ଚିତ କରାଯାଇଛି। ଶିଶୁ, ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରଭାବିତ ଅଞ୍ଚଳରେ ମାଗଣା ରନ୍ଧାଘର ଚାଲୁ ରହିଥିବା ବେଳେ ଆବଶ୍ୟକତା ଅନୁଯାୟୀ ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଉଛି। ପ୍ରଭାବିତ ଲୋକଙ୍କ ଆବଶ୍ୟକତାକୁ ଆଧାର କରି ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଅବିରତ ଭାବେ ଜାରି ରହିଛି।
ସ୍ୱାସ୍ଥ୍ୟ ସେବା ପାଇଁ ୬୨ଟି ମେଡିକାଲ୍ ଟିମ୍ ନିୟୋଜିତ ହୋଇଛନ୍ତି । ସେହିପରି ପର୍ଯ୍ୟାପ୍ତ ପରିମାଣରେ ଔଷଧ, ଓଆରଏସ୍, ସାପ କାମୁଡ଼ା ଇଞ୍ଜେକସନ୍ (ଆଣ୍ଟି-ସ୍ନେକ୍ ଭେନମ୍) ମହଜୁଦ ରଖାଯାଇଛି। ଗୃହପାଳିତ ପଶୁଙ୍କ ଚିକିତ୍ସା ପାଇଁ ୩୧ଟି ପ୍ରାଣୀ ଚିକିତ୍ସା ଟିମ୍ ଓ ୨୨ଟି ପ୍ରାଣୀ ଚିକିତ୍ସା ଶିବିରର ବ୍ୟବସ୍ଥା କରାଯାଇଛି । ଏପର୍ଯ୍ୟନ୍ତ ୫୧ଟି ପଶୁଙ୍କୁ ଚିକିତ୍ସା/ଟିକାକରଣ କରାଯାଇଛି। ପଶୁସମ୍ପଦ ଏବଂ ପ୍ରଭାବିତ ପରିବାରଙ୍କ ସହାୟତା ପାଇଁ ୫୧୮.୭୪ ମେଟ୍ରିକ୍ ଟନ୍ ଗୋଖାଦ୍ୟ ଯୋଗାଇ ଦିଆଯାଇଛି।