ଭୁବନେଶ୍ୱର : ଆଜି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶ ଯୋଗେଶ ବାହାଦୂର ଖୁରାନିଆ କାର୍ଯ୍ୟରୁ ଅବସର ନେଉଛନ୍ତି । ତାଙ୍କ ନେତୃତ୍ୱରେ ଓଡ଼ିଶା ନକ୍ସଲ ମୁକ୍ତ ହେବା ଏକ ବଡ଼ ଉପଲବ୍ଧି । ଖାଲି ସେତିକି ନୁହେଁ ୨୦୨୪ ତୁଳନାରେ ୨୦୨୫ରେ ରାହାଜାନି, ଦଙ୍ଗା, ଧର୍ଷଣ, ଚୋରି, ଡକାୟତି ଓ ଠକେଇ ଭଳି ଅପରାଧରେ ମଧ୍ୟ ହ୍ରାସ ଘଟିଛି । ଅଗଷ୍ଟ ୨୦୨୪ରୁ ଜୁଲାଇ ୨୦୨୬ ମଧ୍ୟରେ ଆଇନ-ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ନକ୍ସଲ ଦମନ, ନିଶାଦ୍ରବ୍ୟ ବିରୋଧୀ ଅଭିଯାନ, ମହିଳା ଓ ଶିଶୁ ସୁରକ୍ଷା, ସାଇବର ଅପରାଧ ଦମନ, ଉପକୂଳ ସୁରକ୍ଷା, ଅପରାଧ ଦମନ, ଦୋଷୀ ସାବ୍ୟସ୍ତ ହାର ଏବଂ ପୋଲିସର ଆଧୁନିକୀକରଣ କ୍ଷେତ୍ରରେ ଓଡ଼ିଶା ପୋଲିସ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଦୃଢ଼ ନେତୃତ୍ୱ, ସମନ୍ୱିତ ରଣନୀତି, ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର, ମାନବ ସମ୍ବଳର ସଶକ୍ତୀକରଣ ଏବଂ ପୋଲିସ-ଜନସାଧାରଣଙ୍କ ମଧ୍ୟରେ ଆସ୍ଥାର ସୁଦୃଢ଼ୀକରଣ ଯୋଗୁଁ ଓଡ଼ିଶା ପୋଲିସ ଏକ ଦକ୍ଷ, ସକ୍ରିୟ, ଦାୟିତ୍ୱଶୀଳ ଓ ଅତ୍ୟାଧୁନିକ ପୋଲିସ ବାହିନୀ ଭାବେ ନିଜର ଦକ୍ଷତା ପ୍ରତିପାଦନ କରି ପାରିଛି ବୋଲି ବିଦାୟ କାଳୀନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଡିଜିପି ଖୁରାନିଆ ।
ନିଶା ନିବାରଣ କ୍ଷେତ୍ରରେ ସଫଳତା
ଭୁବନେଶ୍ୱରସ୍ଥିତ ପୋଲିସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଦ୍ଵାରା ଓଡ଼ିଶାକୁ ନକ୍ସଲମୁକ୍ତ ପ୍ରଦେଶ ରୂପେ ଘୋଷଣା ହେଉଛି ଓଡ଼ିଶା ପୋଲିସର ସବୁଠାରୁ ବଡ଼ ଉପଲବ୍ଧି । ୩୧ ମାର୍ଚ୍ଚ ୨୦୨୬ରେ ଓଡ଼ିଶାକୁ ନକ୍ସଲମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯାଇଥିଲା। ଏହି ଅଭିଯାନରେ ଦୁଇଜଣ କେନ୍ଦ୍ରୀୟ କମିଟି ସଦସ୍ୟ ଚଲପତି ଓ ଗଣେଶ ଉଇକେଙ୍କ ସମେତ ୨୯ ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ବେଳେ ୮୩ ଜଣ ମାଓବାଦୀ ଆତ୍ମସମର୍ପଣ ଏବଂ ୧୫ ଜଣଙ୍କୁ ଗିରଫ କରାଯାଇଛି। ଏହା ସହିତ ୧୭୬ଟି ଅସ୍ତ୍ରଶସ୍ତ୍ର ଓ ୧୫୯ଟି IED ଜବତ କରାଯାଇଛି। ଡିସେମ୍ବର ୨୦୨୫ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ମାଲକାନଗିରି, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ବହୁ ସଂଖ୍ୟାରେ LWE କ୍ୟାଡରଙ୍କ ଆତ୍ମସମର୍ପଣ ଏହି ଅଭିଯାନର ସଫଳତାକୁ ଆହୁରି ସ୍ପଷ୍ଟ କରିଛି ବୋଲି ସେ ମତବ୍ୟକ୍ତ କରିଥିଲେ ।
ସେହିପରି ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ମଧ୍ୟ ଓଡ଼ିଶା ପୋଲିସ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଓ ‘ଅପରେସନ୍ ପ୍ରହାର’ ମାଧ୍ୟମରେ ବେଆଇନ ନିଶାଦ୍ରବ୍ୟ ପରିବହନ ଓ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ସମୟ ମଧ୍ୟରେ ପ୍ରାୟ ୪,୧୯୫ କୋଟି ମୂଲ୍ୟର ନିଶାଦ୍ରବ୍ୟ ଜବତ ଓ ନଷ୍ଟ କରାଯାଇଛି। ଏହା ସହ ୪,୮୯୨ଟି NDPS ମାମଲା ରୁଜୁ ହୋଇଥିବା ବେଳେ ୫,୩୭୬ ଜଣଙ୍କୁ ଗିରଫ କରାଯାଇଛି। ଏହା ସହ ରାଜ୍ୟରେ ରେକର୍ଡ ୬୪,୦୨୨ ଏକର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇ ୧,୩୯୫ଟି ମାମଲା ରୁଜୁ କରାଯାଇ ୪୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ୨୦୨୬ର ପ୍ରଥମ ଛଅ ମାସରେ NDPS ମାମଲାରେ ୨୩.୮ ପ୍ରତିଶତ ବୃଦ୍ଧି ରାଜ୍ୟରେ ନିଶାଦ୍ରବ୍ୟ ବିରୋଧୀ ଅଭିଯାନକୁ କଡାକଡି କରିବାକୁ ଓଡ଼ିଶା ପୁଲିସର କଠୋର ଆଭିମୁଖ୍ୟକୁ ପ୍ରତିପାଦିତ କରୁଛି ।
ହ୍ରାସ ପାଇଛି ଅପରାଧ
ଆଉ ଏକ ଉପଲବ୍ଧି ଭାବରେ ୨୦୨୪ ତୁଳନାରେ ୨୦୨୫ରେ ରାହାଜାନି ମାମଲା ୩୦.୨ ପ୍ରତିଶତ ଏବଂ ଦଙ୍ଗା ୨୫.୬ ପ୍ରତିଶତ ହ୍ରାସ ପାଇଛି । ଧର୍ଷଣ, ଚୋରି, ଡକାୟତି ଓ ଠକେଇ ଭଳି ଅପରାଧରେ ମଧ୍ୟ ହ୍ରାସ ଘଟିଛି । Core non-enforcement cognizable crimeରେ ୩.୪ ପ୍ରତିଶତ ହ୍ରାସ ହୋଇଛି।
୨୦୨୬ ଜାନୁଆରୀରୁ ଜୁନ୍ ମଧ୍ୟରେ ରାହାଜାନି ୨୨.୮%, ଡକାୟତି ୧୪.୨%, ଚୋରି ୮.୬%, ଦଙ୍ଗା ୪.୪%, ହତ୍ୟା ୨.୯% ଏବଂ ଘରେ ପଶି ଚୋରି ୦.୮% ହ୍ରାସ ପାଇଛି। ଅନ୍ୟପକ୍ଷରେ, NDPS ମାମଲା ୨୩.୮% ଏବଂ ଏନଫୋର୍ସମେଣ୍ଟ ମାମଲା ୮୭.୫% ବୃଦ୍ଧି ପାଇଛି। ପୋଲିସର ସକ୍ରିୟ ଓ କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ମାମଲା ପଞ୍ଜୀକରଣ ବଢ଼ିଥିଲେ ମଧ୍ୟ, ଗୁରୁତର ଅପରାଧରେ ଉଲ୍ଲେଖନୀୟ ହ୍ରାସ ଘଟିଛି।
ସେହିପରି ଅପରାଧ ଓ ଅପରାଧୀଙ୍କ ବିରୋଧରେ ଦୋଷୀ ସାବ୍ୟସ୍ତ ହାରରେ ମଧ୍ୟ ସଫଳତା ମିଳିଛି। ଜୁଲାଇ ୨୦୨୪ରୁ ଡିସେମ୍ବର ୨୦୨୫ ମଧ୍ୟରେ ଭାରତୀୟ ନ୍ୟାୟ ସଂହିତା ଅଧୀନରେ ଦଣ୍ଡବିଧାନ ହାର ୮୭.୬ ପ୍ରତିଶତ ରହିଛି। ୨୦୨୫ରେ ରାଜ୍ୟର ସାମଗ୍ରିକ ଦୋଷୀ ସାବ୍ୟସ୍ତ ହାର ୩୭.୯ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ରାଜ୍ୟର ସର୍ବକାଳୀନ ସର୍ବାଧିକ। ଜୁଲାଇ ୨୦୨୪ରୁ ଜୁନ୍ ୨୦୨୬ ମଧ୍ୟରେ ୧,୭୫,୩୨୯ଟି ବିଚାର ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ୫୭,୮୮୧ଟି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ସେହିପରି ବେଆଇନ ଅସ୍ତ୍ରଶସ୍ତ୍ର ଓ ଲଘୁ ଖଣିଜ ଦ୍ରବ୍ୟ କାରବାର ବିରୋଧରେ ମଧ୍ୟ ଓଡ଼ିଶା ପୋଲିସର ଅଭିଯାନ ଜାରି ରହିଛି। ବେଆଇନ ଅସ୍ତ୍ରଶସ୍ତ୍ର ଆଇନ ଅଧୀନରେ ୨,୬୭୪ ଟି ମାମଲା ରୁଜୁ କରାଯାଇ ୩,୩୮୮ ଜଣଙ୍କୁ ଗିରଫ କରାଯାଇଛି। ବେଆଇନ ଲଘୁ ଖଣିଜ ଉତ୍ତୋଳନ ବିରୋଧରେ ୭,୦୭୯ ଟି ମାମଲା ରୁଜୁ କରାଯାଇ ୨,୦୦୭ ଜଣଙ୍କୁ ଗିରଫ କରାଯାଇଛି।
ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ଓଡ଼ିଶା ପୋଲିସ ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛି। ‘ଅପରେସନ୍ ଅନ୍ୱେଷଣ-୨’ ଅଧୀନରେ ୨୦୨୬ ଜାନୁଆରୀରେ ମାତ୍ର ୧୦ ଦିନର ଅଭିଯାନରେ ୫,୪୫୧ ଜଣ ନିଖୋଜ ବ୍ୟକ୍ତିଙ୍କୁ ଠାବ କରାଯାଇଥିଲା। ସେମାନଙ୍କ ମଧ୍ୟରେ ୭୮୬ ଜଣ ଶିଶୁ ଓ ୪,୬୬୫ ଜଣ ମହିଳା ଥିଲେ। ୨୦୨୫ରେ ୧୯,୨୧୧ ଜଣ ନିଖୋଜ ମହିଳାଙ୍କୁ ଠାବ କରାଯାଇଥିଲା, ଯାହା ସେହି ବର୍ଷ ରିପୋର୍ଟ ହୋଇଥିବା ୧୭,୭୪୭ ଜଣ ନିଖୋଜ ମହିଳାଙ୍କ ତୁଳନାରେ ଅଧିକ।
ମହିଳାଙ୍କ ବିରୋଧରେ ଅପରାଧ ବିଭିନ୍ନ ବର୍ଗରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି। ଯୌତୁକଜନିତ ମୃତ୍ୟୁ ୩୭.୯ ପ୍ରତିଶତ, ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ପ୍ରତି ଅସଦାଚରଣ ୩୬.୪ ପ୍ରତିଶତ, ଆତ୍ମହତ୍ୟା ୨୩.୧ ପ୍ରତିଶତ ଏବଂ ନିର୍ଯାତନା ୧୦.୯ ପ୍ରତିଶତ ହ୍ରାସ ପାଇଛି। ମହିଳା ଓ ଶିଶୁ ସମ୍ପର୍କିତ ମାମଲାର ତଦନ୍ତକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସରକାରଙ୍କ ପକ୍ଷରୁ ₹୫୦ କୋଟିର Investigation Fund ମଞ୍ଜୁର କରାଯାଇଛି।
ସେହିପରି ଚଳିତ ବର୍ଷ ‘ଅପରେସନ୍ ସାଇବର କବଚ’ ମାଧ୍ୟମରେ ୩୯,୭୧୪ଟି mule account ଯାଞ୍ଚ କରାଯାଇ ୧,୪୨୨ଟି ମାମଲା ରୁଜୁ କରାଯାଇ ୩୭୯ ଜଣଙ୍କୁ ଗିରଫ କରାଯାଇ ୬୮୯ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। Cyber Helpline 1930 ମାଧ୍ୟମରେ ୨୦.୨୭ ଲକ୍ଷରୁ ଅଧିକ କଲ୍ ଗ୍ରହଣ କରାଯାଇ ପ୍ରାୟ ୩୨୮.୧୨ କୋଟି ଟଙ୍କା ନାଗରିକଙ୍କ ଅର୍ଥ ସୁରକ୍ଷିତ ରଖାଯାଇଛି। Social Media Unit ଦ୍ୱାରା ୮,୭୮୧ଟି ଅଭିଯୋଗର ସମାଧାନ, ୬୬୯ଟି ଜାଲ ହୋଟେଲ୍ ୱେବସାଇଟ୍ ବନ୍ଦ, ୪୧୯ଟି ଆପତ୍ତିଜନକ ପୋଷ୍ଟ ହଟାଯାଇଛି।
ଓଡ଼ିଶା ପୋଲିସର ୯୦ତମ ପ୍ରତିଷ୍ଠା ବର୍ଷରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଛି। ଭାରତର ମାନ୍ୟବର ରାଷ୍ଟ୍ରପତି ଓଡ଼ିଶା ପୋଲିସକୁ ସମ୍ମାନଜନକ President’s Police Colour (‘ରାଷ୍ଟ୍ରପତିଙ୍କ ନିଶାନ’) ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ଏହା ଦେଶର ଏକ ପୋଲିସ ବାହିନୀକୁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନମାନଙ୍କ ମଧ୍ୟରୁ ଅନ୍ୟତମ।
ଓଡ଼ିଶାର ଜନସାଧାରଣ, ପ୍ରଶାସନ ଓ ସୁରକ୍ଷା ବାହିନୀଙ୍କ ମିଳିତ ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଆଇନ-ଶୃଙ୍ଖଳା ରକ୍ଷା ସହିତ ନାଗରିକଙ୍କ ଅଧିକାର, ସୁରକ୍ଷା ଓ ସମ୍ମାନକୁ ସର୍ବାଧିକ ପ୍ରାଥମିକତା ଦେଇ ଓଡ଼ିଶା ପୋଲିସ ନିଜର କାର୍ଯ୍ୟଶୈଳୀକୁ ଅଧିକ ଜନମୁଖୀ, ପ୍ରଯୁକ୍ତିଭିତ୍ତିକ ଓ ଫଳାଫଳମୁଖୀ କରିବା ଦିଗରେ ଆଗେଇ ଚାଲିଛି।
ଆଗାମୀ ଦିନରେ ଅପରାଧ ନିୟନ୍ତ୍ରଣ ସହ ତ୍ଵରିତ ପଦକ୍ଷେପ, ଦ୍ରୁତ ଓ ବୈଜ୍ଞାନିକ ତଦନ୍ତ, ଉନ୍ନତ ଫୋରେନସିକ୍ ବ୍ୟବସ୍ଥା, ସାଇବର ସୁରକ୍ଷା, ମହିଳା ଓ ଶିଶୁଙ୍କ ସୁରକ୍ଷା, ନିଶାମୁକ୍ତ ଓଡ଼ିଶା, ଉପକୂଳ ସୁରକ୍ଷା ଏବଂ ପୋଲିସ ନିରନ୍ତର ଆଧୁନିକୀକରଣ ଉପରେ ଗୁରୁତ୍ୱ ପ୍ରଦାନ କରିବ ବୋଲି ଡିଜିପି ଆଶାବ୍ୟକ୍ତ କରିଥିଲେ ।
କୃତଜ୍ଞତା ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ
ଏହି ଅବସରରେ ଓଡ଼ିଶା ପୋଲିସକୁ ଆବଶ୍ୟକୀୟ ସମ୍ବଳ, ସହାୟତା ଓ ନିରନ୍ତର ସମର୍ଥନ ଯୋଗାଇ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଡିଜିପି ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି । ରାଜ୍ୟ ସରକାରଙ୍କ ଦୃଢ଼ ସମର୍ଥନ, ମାର୍ଗଦର୍ଶନ ଓ ଆବଶ୍ୟକ ସମ୍ବଳ ଯୋଗାଣ ଫଳରେ ଓଡ଼ିଶା ପୋଲିସର ଦକ୍ଷତା, ଭିତ୍ତିଭୂମି ଓ କାର୍ଯ୍ୟକ୍ଷମତା ଆହୁରି ସୁଦୃଢ଼ ହୋଇପାରିଛି ବୋଲି ସେ ଉଲ୍ଲେଖ କରିଥିଲେ।
ଏହି ଅବସରରେ ଓଡିଶା ପୋଲିସକୁ ଆବଶ୍ୟକୀୟ ସମ୍ବଳ, ସହାୟତା ଓ ନିରନ୍ତର ସମର୍ଥନ ଯୋଗାଇ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଡିଜିପି ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିଲେ। ରାଜ୍ୟ ସରକାରଙ୍କ ଦୃଢ ସମର୍ଥନ, ମାର୍ଗଦର୍ଶନ ଓ ଆବଶ୍ୟକ ସମ୍ବଳ ପ୍ରଦାନ କରି ଓଡିଶା ପୋଲିସର ଦକ୍ଷତା, ଭିତ୍ତିଭୂମି ଓ କାର୍ଯ୍ୟ କ୍ଷମତା ଆହୁରି ସୁଦୃଢ ହୋଇପାରିଛି ବୋଲି ଡିଜିପି ଉଲ୍ଲେଖ କରିଥିଲେ।