ନୂଆଦିଲ୍ଲୀ: ରବିବାର ସକାଳେ ବାରଣାସୀ ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲରେ ଗୁଳିକାଣ୍ଡ ହୋଇଛି । ସୁରକ୍ଷା ଯାଞ୍ଚ ସମୟରେ ଜଣେ ଯାତ୍ରୀଙ୍କ ଲାଇସେନ୍ସପ୍ରାପ୍ତ ପିସ୍ତଲରୁ ଗୁଳି ଫୁଟିଛି । ଫଳରେ ବିମାନବନ୍ଦରର ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି । ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଜଣେ ମହିଳା କର୍ମଚାରୀଙ୍କ ଗୋଡରେ ଗୁଳି ବାଜିଛି, ଯେତେବେଳେ ଜଣେ ପୁରୁଷ କର୍ମଚାରୀଙ୍କ ହାତରେ ଗୁଳି ବାଜିଛି। ଉଭୟଙ୍କୁ ଚିକିତ୍ସା ପାଇଁ କବିରଚୌରା ଡିଭିଜନାଲ ହସ୍ପିଟାଲକୁ ପଠାଯାଇଛି।
ଆଜମଗଡ଼ର ଜଣେ ବାସିନ୍ଦା କମଲେଶ ରାୟ (୫୫) ରବିବାର ସକାଳ ୯ଟା ୪୫ ମିନିଟ୍ ସମୟରେ ମୁମ୍ବାଇ ଯିବାକୁ ବାରଣାସୀ ବିମାନ ବନ୍ଦରରେ ପହଁଚିଥିଲେ । ସେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଯାତ୍ରା କରିବାକୁ ସୁରକ୍ଷା ଯାଞ୍ଚ କରୁଥିଲେ । ତାଙ୍କ ପାଖରେ ଏକ ଲାଇସେନ୍ସପ୍ରାପ୍ତ ପିସ୍ତଲ ଥିଲା। ଏହି ସମୟରେ ପିସ୍ତଲରୁ ଅସାବଧାନତା ବଶତଃ ଗୁଳି ଫୁଟିଥିଲା । ଫଳରେ ଜଣେ ମହିଳା କର୍ମଚାରୀ ଓ ପୁରୁଷ କର୍ମଚାରୀ ଆହତ ହୋଇଥିଲେ । ବିହାରର ଗୟା ଜିଲ୍ଲାର ବୁନିଆଦଗଞ୍ଜ ଥାନା ଅନ୍ତର୍ଗତ ମାନପୁର ନିବାସୀ ସୁମନ କୁମାରୀ ଗୋଡରେ ଗୁଳି ବାଜିଛି । ସେହିପରି ବିହାର ନାଳନ୍ଦା ଜିଲ୍ଲାର ରୋହିଣୀ ରୋଡର ବାସିନ୍ଦା ରୋହିତଙ୍କ ହାତରେ ଗୁଳି ବାଜିଛି। ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଲାଇସେନ୍ସ ପ୍ରାପ୍ତ ବନ୍ଧୁକକୁ ବିମାନରେ ନେବାକୁ ଏକ ସ୍ୱତନ୍ତ୍ର ନିୟମ ରହିଛି । ବନ୍ଧୁକରୁ ମାଗାଜିନ୍ (ଯେଉଁଥିରେ ଗୁଳି ରୁହେ) ଅଲଗା କରିବା ବାଧ୍ୟତାମୂଳକ । ଏଥିପାଇଁ ବିମାନକମ୍ପାନୀକୁ ସ୍ୱତନ୍ତ୍ର ଶୁଳ୍କ ଆଦାୟ ଦିଆଯାଇଥାଏ । କମଲେଶ ରାୟ ପିସ୍ତଲର ମାଗାଜିନ୍ ବାହାର କରୁଥିବା ସମୟରେ ଭୁଲବଶତଃ ଟ୍ରିଗରଟି ଚାପି ହୋଇଯାଇଥିବା କୁହାଯାଉଛି । ସୁରକ୍ଷାକର୍ମୀ ତାଙ୍କ ବନ୍ଧୁକକୁ ସିଲ୍ କରିଥିବାବେଳେ ତାଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି ।